ବାରିପଦା: ମୟୂରଭଞ୍ଜ ଜିଲ୍ଲା,ବାରିପଦା ସ୍ଥିତ ପାଲବଣିଠାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ଅନ୍ୟ ଏକ ଦ୍ରୁତଗାମୀ ଡମ୍ପର ଲୋକଙ୍କ ଉପରେ ମାଡ଼ିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଭୟଙ୍କର କାଣ୍ଡରେ ୩ ଜଣ କ୍ୟାମେରାମ୍ୟାନଙ୍କ ସମେତ ପ୍ରାୟ ୭ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ଘଟିଥିବାର ଜଣାଯାଇଛି । ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାର ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ । ସୂଚନା ଅନୁଯାୟୀ, ପ୍ରଥମେ ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚି ଗାଡ଼ିଟିକୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚଳାଇଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ ଏକ ଦ୍ରୁତଗାମୀ ଡଷ୍ଟ ବୋଝେଇ ଡମ୍ପର ଓଲଟି ପଡ଼ିଥିବା କାଠ ବୋଝେଇ ଟାଟା ଏସି ଉପରେ ଚଢି ଯାଇ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ମଧ୍ୟ ମାଡ଼ି ଆସିଥିଲା। ବିପଦକୁ ଦେଖି ସେଠାରେ ରୁଣ୍ଡ ହୋଇଥିବା ଲୋକେ ପ୍ରାଣ ବିକଳରେ ଏପଟ ସେପଟ ଛିନଛତର ହୋଇ ଦୌଡ଼ିବାକୁ ଲାଗିଥିଲେ।

ହେଲେ ଡମ୍ପରଟି ଏତେ ଦ୍ରୁତ ଗତିରେ ଥିଲା ଯେ କିଛି ଲୋକ ଏହାର ଚକା ତଳେ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ସମ୍ବାଦ ସଂଗ୍ରହ ପାଇଁ ଉପସ୍ଥିତ ଥିବା ପ୍ରମୁଖ ଓଡ଼ିଆ ଗଣମାଧ୍ୟମ ଚ୍ୟାନେଲ ‘ନିୟୁଜ୍ ୭’, ‘କଳିଙ୍ଗ ଟିଭି’ ଓ ‘ଅର୍ଗସ ନିୟୁଜ୍’ ର କ୍ୟାମେରାମ୍ୟାନମାନେ ମଧ୍ୟ ଶିକାର ହୋଇଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଏହି ତିନି ଚ୍ୟାନେଲର କ୍ୟାମେରାମ୍ୟାନ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଡମ୍ପର ତଳେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ଚାପି ହୋଇ ରହିଯାଇଥିଲେ, ଯାହାଙ୍କୁ ସ୍ଥାନୀୟ ଲୋକ ଓ ପ୍ରଶାସନ ସହାୟତାରେ ବହୁ କଷ୍ଟରେ ଉଦ୍ଧାର କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କୁ ତୁରନ୍ତ ବାରିପଦା ରଙ୍ଗାମାଟିଆ ସ୍ଥିତ ପି.ଆର.ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା ଚାଲିଥିବା ବେଳେ ୫ ଜଣଙ୍କ ଅବସ୍ଥା ଏବେ ସୁଦ୍ଧା ଉଦ୍ବେଗଜନକ ରହିଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରୁଥିବାର ପ୍ରକାଶ ।
