ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥଙ୍କ ମନ୍ଦିର ପୀଠରେ ଅଣସର ଦର୍ଶନ ପାଇଁ ଭକ୍ତ ଗହଳି ଲାଗିରହିଛି । ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ସମତୁଲ୍ଯ ବୋଲି ବିଶ୍ୱାସ ରହିଛି । ଶ୍ରୀଅଲାରନାଥଙ୍କ ପୀଠରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଶ୍ରୀ ଅଲାରନାଥ ଦେବ ଦେବୋତ୍ତର ପରିଚାଳନା କମିଟି ଦ୍ୱାରା ଅନବସର ମହୋତ୍ସବ ଅବସରରେ ପୁରୀର ସଙ୍ଗୀତ ଅନୁଷ୍ଠାନ ଦୟାନିଧି ସଙ୍ଗୀତ ସୁଧା ପକ୍ଷରୁ ଶୁକ୍ରବାର ସଂଧ୍ୟାରେ ଭକ୍ତିସଙ୍ଗୀତ ପରିବେଷଣ କରାଯାଇଥିଲା । ଗୁରୁ ପ୍ରକାଶ କୁମାର ରଥଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ କଲ୍ୟାଣମୟୀ ନାୟକ, ବନ୍ଦନା ଦାଶ, ଡ଼ଃ ଇପ୍ସିତା ଦାଶ, ଡ଼ଃ ନିହାର ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ମୁଦୁଲି, ସମ୍ପ୍ରିତା ପାତ୍ର, ଦିବ୍ୟଜ୍ୟୋତି ଦାଶ, ପ୍ରିତମ ବରାଡ଼, ଅସିତ କୁମାର ସାହୁ ମହାପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତି ନୈବେଦ୍ୟ ସମର୍ପଣ କରି ପରିବେଶକୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । କାଳୁ ଚରଣ ସାହୁ, ଗୁରୁ ସୁଶୀଲ କୁମାର ଦାଶ, ମନୋଜ ମହାପାତ୍ର, ପ୍ରଶାନ୍ତ ରାଉତ, ଅର୍ଜୁନ ମହାରଣା, ଏବଂ ନୃସିଂହ ମହାରଣା ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ମହାପ୍ରଭୁଙ୍କ ଭଜନ ଶୁଣି ହଜାର ହଜାର ଶ୍ରୋତା ଭକ୍ତିସଙ୍ଗୀତ ଭଜନରେ ଭାବବିହ୍ୱଳ ହୋଇଥିଲେ । ଅନୁଷ୍ଠାନ ପକ୍ଷରୁ ପରିଚାଳନା କମିଟି ଏବଂ ଜିଲ୍ଲା ସଂସ୍କୃତି ବିଭାଗ ତଥା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।
