ଭଞ୍ଜନଗର: ସିନ୍ଧି ଚୋରି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ସେମାନଙ୍କ ଠାରୁ ୬୬ ଗ୍ରାମ ଚୋରି ସୁନା ଅଳଙ୍କାର ସମେତ ଅଢ଼େଇ କିଲୋରୁ ଉର୍ଦ୍ଧ୍ୱ ରୂପା ଅଳଙ୍କାର ଜବତ କରାଯାଇଛି । ପୋଲିସ ଆଖିରେ ଧୂଳିଦେଇ, ଭଂଜନଗର ପୋଲିସ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ସିରିଜ୍ ଚୋରି ଘଟଣା ଘଟାଉଥିଲେ ଏହି ଗ୍ୟାଙ୍ଗ । ଏହାକୁ କେନ୍ଦ୍ରକରି ଗଞ୍ଜାମ ଏସ୍?ପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା । ଏଥିରେ ଭଂଜନଗର ସମେତ ବାଲିପଦର, ଜଗନ୍ନାଥପ୍ରସାଦ, ବୁଗୁଡ଼ା ପ୍ରଭୃତି ଅନ୍ୟ ସମସ୍ତ ଥାନାର ପୋଲିସ ସାମିଲ ହୋଇଥିଲେ । ଭଂଜନଗର, ତାରାସିଙ୍ଗି ଥାନା ସମେତ ଅନ୍ୟ ଥାନା ଅଞ୍ଚଳରେ ୭ ରୁ ଉର୍ଦ୍ଧ୍ୱ ସିନ୍ଧି ଚୋରି ଘଟାଇଥିବା ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ କରାଯାଇଥିଲା । ଶେଷରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ କୋଟିନାଡ଼ା ଥାନା ଅନ୍ତର୍ଗତ ନୂଆ ସାହାପୁର ଗାଁର ଏ. ପୁଟୁ ରାଜୁ , ଏ.ନାଗରାଜୁ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ଜିତୁ ନାହାକ ଏବଂ ଆସିକା ଥାନା ଅନ୍ତର୍ଗତ ପାକଲାପଲ୍ଲୀ ଗ୍ରାମର ଏମ ମୁନ୍ନା । ଘଟଣା ପ୍ରକାରେ, ଗତ ୧୭ ତାରିଖ ରାତିରେ ଅଭିଯୁକ୍ତମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ତୁଳସୀପଲ୍ଲୀ ଗ୍ରାମର ସୁଶୀଲ କୁମାର ପଣ୍ଡାଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ଚୋରି କରିଥିଲେ । ଏନେଇ ସୁଶୀଲ ଭଂଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଚଢ଼ାଉ ଆରମ୍ଭ କରିଥିଲା ପୋଲିସ । ଏହାକୁ ଆଧାର ଶନିବାର ଦିନ ଭଞ୍ଜନଗର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ, ସୂଚନା ଦେଇଥିଲେ ଭଂଜନଗର ଏସଡିପିଓ ଦୀପକ କୁମାର ମିଶ୍ର । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ୍?ଆଇ ଜେ ସାହୁ, ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
