ଭୁବନେଶ୍ୱର(ବ୍ୟୁରୋ): ଜଳର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଓ ରାଜ୍ୟର ପ୍ରଗତି ଅସମ୍ଭବ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡିଶାର କୃଷି ଓ କୃଷକଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି । ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ ୫ ବର୍ଷ ମଧ୍ୟରେ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲିଫ୍ଟ ଇରିଗେସନ, ମେଗା ଲିଫ୍ଟ ଓ ଆଡିବନ୍ଧ ନିର୍ମାଣ ମାଧ୍ୟମରେ ୧୫ ଲକ୍ଷ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ଅନ୍ତର୍ଭୁକ୍ତ କରାଯିବ।ବର୍ତ୍ତମାନ ରାଜ୍ୟରେ ୪୦,୩୮୦ ଗୋଟି ପାଣି ପଞ୍ଚାୟତ ସକ୍ରିୟ ଭାବେ କାର୍ଯ୍ୟ କରୁଥିବାବେଳେ, ସେଗୁଡିକ ମାଧ୍ୟମରେ ୨୪.୧୨ ଲକ୍ଷ ହେକ୍ଟର ଜମିର ଜଳସେଚନ ସଫଳତାର ସହ ପରିଚାଳିତ ହେଉଛି। ଓଡିଶା ପାଣି ପଞ୍ଚାୟତ ଆଇନ-୨୦୦୨ ଓ ତାହାର ସଂଶୋଧନ ମାଧ୍ୟମରେ ମହିଳା, ମତ୍ସ୍ୟଜୀବୀ ଓ ଜଳ ବ୍ୟବହାରକାରୀଙ୍କୁ ସମାନ ଅଧିକାର ଓ ସୁଯୋଗ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରାଚୀନ ଜଳସେଚନ ପଦ୍ଧତିରେ ଜଳର ଅପଚୟ ହେଉଥିବାବେଳେ, ପାଣି ପଞ୍ଚାୟତ ମାଧ୍ୟମରେ ସମତାମୂଳକ ଓ ଦକ୍ଷ ଜଳ ବଣ୍ଟନ ସମ୍ଭବ ହୋଇପାରିଛି। ମୟୂରଭଞ୍ଜର ଖଇରିବନ୍ଧନ ବ୍ୟାରେଜ୍, ବଲାଙ୍ଗିରର ଅପରଲାନ୍ଥ ପ୍ରକଳ୍ପ, ସାଣ୍ଡୁଲ ଭୂତଳ ପାଇପଲାଇନ୍, ନୟାଗଡର ବୃତଙ୍ଗ ଜଳସେଚନ ପ୍ରକଳ୍ପ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଜଳାଶୟ ଓ କେନାଲ ପ୍ରକଳ୍ପ ତ୍ୱରାନ୍ୱିତ ଭାବେ ଚାଲୁ ରହିଛି। ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟରେ ୯୦ ପ୍ରତିଶତରୁ ଅଧିକ ଚାଷଯୋଗ୍ୟ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। କୃଷକମାନଙ୍କୁ ଫସଲ ବିବିଧିକରଣ, ପନିପରିବା, ଫଳ ଓ ଫୁଲ ଚାଷ ମାଧ୍ୟମରେ ଆୟ ବୃଦ୍ଧି କରିବାକୁ ଆହ୍ୱାନ ଜଣାଇ ସେ କହିଛନ୍ତି ଯେ, ସମୃଦ୍ଧ କୃଷକ ବିନା ସମୃଦ୍ଧ ଓଡିଶା ଗଠନ ସମ୍ଭବ ନୁହେଁ। କୃଷକ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଚାଷୀ ମାନଙ୍କୁ କିପରି ଉତ୍ତମ ବଜାର ବ୍ୟବସ୍ଥା ଯୋଗାଇଦେବା ସହିତ ସେମାନଙ୍କ ଉତ୍ପାଦିତ ଫସଲକୁ ବାହାରକୁ ଦେଶକୁ ରପ୍ତାନୀ କରାଯାଇ ସେମାନଙ୍କୁ ଉତ୍ତମ ମୂଲ୍ୟ ଦିଆଯାଇ ପାରିବ ସେ ଦିଗରେ ସରକାର ଯୋଜନା କରୁଛନ୍ତି। ଚାଷୀଙ୍କ ଆୟ କିପରି ଦ୍ୱିଗୁଣିତ ହୋଇପାରିବ, ତାହା ଆମ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ।
୨୦୩୬ ସୁଦ୍ଧା ୯୦ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା: ମୁଖ୍ୟମନ୍ତ୍ରୀ















Leave a Reply