ଭୁବନେଶ୍ୱର(ବ୍ୟୁରୋ): ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ । ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ । କିନ୍ତୁ ଅରବିନ୍ଦଙ୍କୁ ନିଲମ୍ବନ କରିବା ପଛରେ କୌଣସି ପ୍ରମୁଖ କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ ବିଜେଡି ଭିତିରି ମହଲରୁ ମିଳିଥିବା ଖବର ଅନୁସାରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ଅଧା ଡଜନରୁ ଅଧିକ କାରଣ ରହିଛି । ସେଥିରୁ ପ୍ରମୁଖ କାରଣ ଅନୁସାରେ, କିଛିଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀରେ ଏକ ବୈଠକ କରିଥିଲେ ଅରବିନ୍ଦ । ଯେଉଁଥିରେ ଦଳ ମୁଖିଆଙ୍କ ନାମ ଓ ଫଟୋ ନଥିଲା । ବିଧାନସଭା ଭିତରେ ନିଜ ଦଳର ବିଧାୟକଙ୍କ ବିରୋଧରେ ପ୍ରଶ୍ନ କରିଥିଲେ ଅରବିନ୍ଦ । ସେ ଆସନ୍ତା କିଛିଦିନ ଭିତରେ ଏକ ଗୁପ୍ତ ବୈଠକ ପାଇଁ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ । ଶେଷ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅନୁସାରେ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା । ନିଲମ୍ବିତ ହେବା ପରେ ଅରବିନ୍ଦ ମହାପାତ୍ର କହିଛନ୍ତି, ମୋତେ କାହିଁକି ନିଲମ୍ବନ କରାଗଲା, ମୁଁ ଜାଣିନି। ମୁଁ କୌଣସି ଦଳବିରୋଧୀ କାମ କରିନି। ଦଳକୁ ଅସୁବିଧାରେ ପକାଇବା ଭଳି କୌଣସି କାମ କରିନି। ମୁଁ ମୋ ନିର୍ବାଚନ କ୍ଷେତ୍ରରେ ଲୋକଙ୍କ ପାଇଁ କାମ କରୁଛି। ମୁଁ କୌଣସି ମେଳିକୁ ଯାଇନି କି ଭୋଜି କରିନି। ସେହିପରି ୫ଟି (ଭି.କେ ପାଣ୍ଡିଆନ) ବିରୋଧୀ ମନ୍ତବ୍ୟ ତାଙ୍କ ପାଇଁ ଭାରି ପଡ଼ିଲା କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଛନ୍ତି ଯେ ସେ ସେଭଳି କିଛି କହି ନଥିଲେ। ଅରବିନ୍ଦ କହିଛନ୍ତି, ମୁଁ ତାଙ୍କ ବିରୋଧରେ କହିନି। ସରକାରୀ ଦଳର ବିଧାୟକମାନେ କହୁଛନ୍ତି ଯେ ସେ ଦୁର୍ନୀତି କରିଛନ୍ତି। ତେଣୁ ମୁଁ କହିଥିଲି ଯେ ଏହାକୁ ନେଇ ବାରମ୍ବାର ବିଧାନସଭାର ସମୟ ନଷ୍ଟ କରିବାର ଆବଶ୍ୟକତା ନାହିଁ। ଆପଣମାନେ କେସ୍ କରି ତଦନ୍ତ କରନ୍ତୁ। ଦୋଷ କରିଥିଲେ ସେ ଦଣ୍ଡ ପାଇବେ ଓ ଦୋଷ କରି ନଥିଲେ ନିର୍ଦ୍ଦୋଷ ସାବ୍ୟସ୍ତ ହେବେ। ଅରବିନ୍ଦଙ୍କ ନିଲମ୍ବନକୁ ନେଇ ବାପା ବିଜୟ ମହାପାତ୍ର କହିଛନ୍ତି, ମୁଁ ହତବାକ୍। ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହେଲି। କାହିଁକି ଏଭଳି ହେଲା ମୁଁ କିଛି ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ନାହିଁ, ନିର୍ବାଚନମଣ୍ଡଳୀର ସ୍ୱାର୍ଥ ପାଇଁ କାମ କରୁଛି। ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ବହୁତ ଭାବିଚିନ୍ତି ତଥା ସମସ୍ତ ତଥ୍ୟ ସଂଗ୍ରହ କରି ଦଳର ନେତା ନିଷ୍ପତ୍ତି ନିଅନ୍ତି। ଯଦି ସେ ଏ ନିଷ୍ପତ୍ତି ନେଇଛନ୍ତି, ତା’ମାନେ ସେମାନେ ନିଶ୍ଚିତ ଦଳକୁ ଦୁର୍ବଳ କରିବା ପାଇଁ ପ୍ରୟାସ କରିଛନ୍ତି। ସେଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ବିଧାୟକ ସନାତନ ଓ ଅରବିନ୍ଦ ବିଜେଡିରୁ ନିଲମ୍ବିତ













Leave a Reply