ମକର ଚୌରାଶି ବେଶରେ ଦର୍ଶନ ଦେଲେ ଶ୍ରୀଜଗନ୍ନାଥ, ଲାଗିହେଲା ମକର ଚାଉଳ

Spread the love

ପୁରୀ (ବ୍ୟୁରୋ) : ଶ୍ରୀଜିଉଙ୍କ ମକର ଚୌରାଶୀ ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ମକର ସଂକ୍ରାନ୍ତି ପାଇଁ ଘରେ ଘରେ ପ୍ରସ୍ତୁତ ହୋଇଥିଲା ମକର ଚାଉଳ । ଠାକୁରଙ୍କ ପାଖରେ ଭୋଗ ଲଗାଇବା ସହ ମନ୍ଦି ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ସମୟରେ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ । ତେଣୁ ଏହିଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର, ଗୋଲମରିଚ ଆଦି ମିଶାଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ । ଏହି ଅବସରରେ ଭକ୍ତମାନଙ୍କୁ ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏହି ବେଶରେ ଶ୍ରୀଜିଉଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାରରେ ଭୂଷିତ କରାଯାଏ । ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏଥିସହିତ ଶ୍ରୀଜିଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ । ମକର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତଙ୍କ ଆଗମନ ହୋଇଛି । ମହାପ୍ରଭୁଙ୍କ ମକର ଚାଉଳ ପ୍ରସାଦ ରୂପେ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳୁଛି । ସେପଟେ ଭକ୍ତଙ୍କ ଭଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!