ଓବିସିଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି; ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ରହିବ ଓବିସି କୋଟା

Spread the love

ଭୁବନେଶ୍ୱର(ବ୍ୟୁରୋ): ପଛୁଆବର୍ଗଙ୍କ ଦୀର୍ଘଦିନର ଦାବି ଉପରେ ଖୁବ୍‌ଶୀଘ୍ର ବାଜିବ ମୋହନ ସରକାରଙ୍କ ମୋହର। ଉଚ୍ଚଶିକ୍ଷା ପରେ ଏବେଠୁ ମେଡିକାଲ ଏବଂ ଇଞ୍ଜିନିୟରିଂ ଶିକ୍ଷାରେ ବି ମିଳିବ ସଂରକ୍ଷଣ। ଚଳିତବର୍ଷ ଠାରୁ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଯୋଜନା କରୁଛନ୍ତି ସରକାର। ବଡ଼ କଥା ହେଲା ମେଡିକାଲ ଏବଂ ଇଞ୍ଜିନିୟରିଂରେ ଏସସି-ଏସଟିଙ୍କୁ ମିଳିବ ଦୁଇଗୁଣା ସଂରକ୍ଷଣ। କିନ୍ତୁ ବିରୋଧୀଙ୍କ ଦାବି ଖାଲି ଶିକ୍ଷାରେ ନୁହେଁ ଓବିସିଙ୍କୁ ନିଯୁକ୍ତି କ୍ଷେତ୍ରରେ ବି ସଂରକ୍ଷଣ ଦିଅନ୍ତୁ ସରକାର। ଏପଟେ ପଛୁଆ ବର୍ଗ ମଞ୍ଚର ଦାବି ୧୧ ନୁହେଁ ୨୭ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ସରକାର। ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନୀତି ନିର୍ଦ୍ଧାରଣ କମିଟି। ଆଉ ଏ ପ୍ରସ୍ତାବକୁ ଚଳିତ ଶିକ୍ଷାବର୍ଷରୁ ଲାଗୁ ପାଇଁ ଯୋଜନା ବି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ପ୍ରସ୍ତାବ ଅନୁସାରେ ଓବିସି ପାଇଁ ମେଡିକାଲ ଏବଂ ଇଞ୍ଜିନିୟରିଂରେ ୧୧.୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ। ଆଉ ଏକ ବଡ଼ ପ୍ରସ୍ତାବ ହେଉଛି ଏସ୍ସି-ଏସ୍ଟିଙ୍କ ପାଇଁ ଥିବା ସଂରକ୍ଷିତ ସିଟ୍ ଦୁଇ ଗୁଣା କରାଯିବ। ଅର୍ଥାତ୍ ଅନୁସୂଚିତ ଜାତି ସଂରକ୍ଷଣକୁ ୮%ରୁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ସଂରକ୍ଷଣକୁ ୧୨%ରୁ ୨୨.୫୦%କୁ ବୃଦ୍ଧି କରାଯିବ। ନିଯୁକ୍ତି ବେଳେ ଥିବା ସଂରକ୍ଷଣ ଅନୁପାତ ଅଧିକ ରହୁଥିବାରୁ ଉଚ୍ଚଶିକ୍ଷାରେ ସଂରକ୍ଷଣକୁ ବଢାଇବାକୁ ଏପରି ନିଷ୍ପତ୍ତି ନିଆଯାଇଛି। କମିଟିର ଏହି ନିଷ୍ପତ୍ତିକୁ ରାଜ୍ୟ ସରକାର ଗ୍ରହଣ କରି ଚଳିତ ବର୍ଷ ଠାରୁ ଲାଗୁ କରିବେ ବୋଲି ସୂଚନା ଦେଇଛନ୍ତି କମିଟିର ସଦସ୍ୟ ବିଧାୟକ ସନ୍ତୋଷ ଖଟୁଆ। କିନ୍ତ ବିରୋଧୀଙ୍କ ଯୁକ୍ତି ଖାଲି ଶିକ୍ଷା ନୁହେଁ ନିଯୁକ୍ତିରେ ବି ମିଳୁ ଓବିସିଙ୍କୁ ସଂରକ୍ଷଣ।ଶିକ୍ଷା ଏବଂ ନିଯୁକ୍ତିରେ ଓବିସିଙ୍କୁ ସଂରକ୍ଷଣ ନେଇ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ନୂଆ ସରକାର ଆସିବା ପରେ ଉଚ୍ଚ ଶିକ୍ଷା ବା କେବଳ ୟୁଜି ଏବଂ ପିଜିରେ ଓବିସିଙ୍କୁ ସଂରକ୍ଷଣ ନେଇ ମେ ୧୪, ୨୦୨୫ରେ ହୋଇଥିଲା କ୍ୟାବିନେଟ ନିଷ୍ପତ୍ତି। କିନ୍ତୁ ପରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଶିକ୍ଷାରେ ମଧ୍ୟ ସଂରକ୍ଷଣ ନେଇ ଦାବି ଉଠିଥିଲା। ଯାହାକୁ ଚଳିତ ବର୍ଷଠାରୁ ଲାଗୁ କରିବାକୁ ଯାଉଛନ୍ତି ସରକାର। ତେବେ ରାଜ୍ୟ ପଛୁଆ ବର୍ଗ ମଞ୍ଚ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ବି ଓବିସିଙ୍କ ପାଇଁ ସଂରକ୍ଷଣ ପ୍ରତିଶତକୁ ୨୭କୁ ବଢ଼ାଇବାକୁ ଦାବି କରିଛି।ବଡ଼ କଥା ହେଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ କମିଟି ଦେଇଥିବା କାର୍ଯ୍ୟସୂଚୀରେ ମୋହର ମାରିଛନ୍ତି ସରକାର। ଆଉ ନୀତି ନିର୍ଦ୍ଧାରଣ କମିଟିର ସଂରକ୍ଷଣ ନିଷ୍ପତ୍ତିକୁ ବି ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ କରାଇ ସରକାର ଲାଗୁ କରିପାରନ୍ତି

Leave a Reply

Your email address will not be published. Required fields are marked *

error: Content is protected !!