ବ୍ରହ୍ମପୁର(ଅମୃତ ମିଡ଼ିଆ): ପୀତାବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ । ପୋଲିସ ଆଜି କୋର୍ଟରେ ଦାଖଲ କରିଥିଲା ଚାର୍ଜସିଟ୍। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତାବାସ ପଣ୍ଡାଙ୍କ ହତ୍ୟା ମାମଲାରେ, ଅନେକ ତଥ୍ୟ ରହିଛି। ଚାର୍ଜିସିଟରେ ବାଲିଷ୍ଟିକ୍ ରିପୋର୍ଟ ଏବଂ ଫୋରେନସିକ ତଥ୍ୟ ରହିଛି। ଏହାସହ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କଲ୍ ଡିଟେଲ୍ସ ଏବଂ ସିସିଟିଭି ଫୁଟେଜ୍, ହତ୍ୟା ପାଇଁ ଦିଆଯାଇଥିବା ସୁପାରି ଟଙ୍କାର କାରବାରର ହିସାବ ଏବଂ ବହୁ ସଂଖ୍ୟକ ସାକ୍ଷୀଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଚାର୍ଜସିଟ୍ ରେ ରହିଛି। ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ, ପୀତାବାସ ପଣ୍ଡା ବ୍ରହ୍ମପୁର ବ୍ରହ୍ମା ନଗରସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ବାଇକ୍ ଚାଳକ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି। ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଏବଂ କର୍ପୋରେଟର ମଳୟ ବିଷୋୟୀଙ୍କୁ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି। ଏ ଘଟଣାରେ ମୁଖ୍ୟ ସୁଟର ଥିଲେ କୁରୁପତି ଭୂୟାଁ ଓ ଚି ଚିଣ୍ଟୁ ପ୍ରଧାନ। ହତ୍ୟାକାରୀଙ୍କୁ ଲୁଚାଇବା ଏବଂ ସାହାଯ୍ୟ କରିବା ଅଭିଯୋଗରେ ବିହାର ଏବଂ କୋରାପୁଟର କିଛି ଅପରାଧୀଙ୍କୁ ମଧ୍ୟ ଧରାଯାଇଛି। ପୋଲିସ ତଦନ୍ତ ଅନୁଯାୟୀ, ଏହା ଏକ ‘ସୁପାରି କିଲିଂ’ ଥିଲା। ହତ୍ୟା ପଛରେ କାରଣ ଥିଲା ରାଜନୈତିକ ବିବାଦ ଓ ପୂର୍ବ ଶତ୍ରୁତା। ପୀତାବାସ ପଣ୍ଡା ଅନେକ ଆଇନଗତ ମାମଲା ମାଧ୍ୟମରେ ଅଭିଯୁକ୍ତଙ୍କୁ ଅସୁବିଧାରେ ପକାଉଥିଲେ। ତେଣୁ ହତ୍ୟା ପାଇଁ ୮ ରୁ ୧୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା।
ପୀତବାସ ପଣ୍ଡା ହତ୍ୟା ମାମଲା: ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ













Leave a Reply