ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ କଠୋର ସ୍ୱର; ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ଅକ୍ଷୁର୍ଣ୍ଣ ରହୁ

Spread the love

ପୁରୀ(ବ୍ୟୁରୋ): କେମିତି ବନ୍ଦ କରାଯିବ ଅଦିନିଆ ରଥଯାତ୍ରା ? ମହାପ୍ରଭୁଙ୍କର ଅପପ୍ରଚାରକୁ କେମିତି ରୋକାଯିବ ? ଶ୍ରୀଜିଉଙ୍କ ମହାନ ପରମ୍ପରାକୁ ରକ୍ଷା କରିବ କିଏ ? ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା କାର୍ଯ୍ୟକ୍ରମରେ ଚାଲିଛି ଏମିତି ମାନସମନ୍ଥନ। ଏହା ସହିତ ଇସ୍କନର ଅଦିନ ରଥ ଓ ଦୀଘା ଧାମ ନାମକରଣକୁ ନେଇ ଉଦବେଗ ପ୍ରକାଶ ସାଙ୍ଗକୁ ଜଗନ୍ନାଥ ସଂସ୍କୃତିର ମର୍ଯାଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାଲିଛି ବିଚାରବିମର୍ଶ। ବିଶ୍ୱ ଆଧ୍ୟାତ୍ମିକ ସମାବେଶର ଉଦଯାପନୀ ଦିବସରେ ଯୋଗଦେଇ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। କହିଛନ୍ତି, ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ନବଦିନାତ୍ମକ ରଥଯାତ୍ରା ପାଇଁ ବିଧି ରହିଛି। ଏହା ମହାପ୍ରଭୁଙ୍କ ନିର୍ଦ୍ଦେଶ। କିନ୍ତୁ ଅଦିନ ରଥଯାତ୍ରା କରି ମହାପ୍ରଭୁଙ୍କ ନିଜସ୍ୱ ବାଣୀକୁ ମାନୁ ନାହାନ୍ତି ଇସ୍କନ କର୍ତ୍ତୃପକ୍ଷ। ସେମାନେ ଜାଣି ନାହାନ୍ତି ଏହା କେତେବଡ଼ ବ୍ୟତିକ୍ରମ। ମହାରାଜ ପୁଣି କହିଛନ୍ତି, ସନାତନ ଧର୍ମର ସିଦ୍ଧାନ୍ତ ଅନୁସାରେ ମୂଳ ବିଗ୍ରହ ଥରେ ପ୍ରତିଷ୍ଠା ହେଲେ ଗର୍ଭଗୃହ ଛାଡନ୍ତି ନାହିଁ। ଚଳନ୍ତି ପ୍ରତିମା ବାହାରକୁ ବାହାରନ୍ତି। ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଦୁଇ ଥର ବାହାରକୁ ଆସନ୍ତି ମୂଳ ବିଗ୍ରହ। କିନ୍ତୁ ଜବରଦସ୍ତ ବର୍ଷସାରା ଦାଣ୍ଡରେ ମହାପ୍ରଭୁଙ୍କୁ ବୁଲାଇବା କ’ଣ ଠିକ୍‌। ଦୀଘା ଧାମ ନାମକରଣକୁ ନେଇ ବି କ୍ଷୋଭ ଝାଡିଛନ୍ତି ଗଜପତି ମହାରାଜା। କହିଛନ୍ତି, ବିଶ୍ୱର ପ୍ରତ୍ୟେକ ଧର୍ମରେ ମୂଳ ପୀଠର ସ୍ୱତନ୍ତ୍ରତା ରହିଛି। ତାକୁ ନକଲ କି ପ୍ରତୀକାତ୍ମକ କରିହେବନି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଚାଲିଥିବା ଏଭଳି ଅପପ୍ରଚାର ଓ ଅପସଂସ୍କୃତିକୁ ଜଗିବା ଓ ରୋକିବାକୁ ଆହ୍ୱାନ କରିଛନ୍ତି ଗଜପତି ମହାରାଜା। ତେବେ ପୁରୀରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା ୩ ଦିନିଆ ବିଶ୍ୱ ଆଧ୍ୟାତ୍ମିକସମାବେଶ। ଏହାର ୬ଟି ସେସନରେ ୪ଟି ବିନ୍ଦୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ ୫୩ ଦେଶର ପ୍ରତିନିଧି ଓ ସାଧୁସନ୍ଥ। ଅଦିନିଆ ରଥଯାତ୍ରା ରୋକିବାକୁ ଗଜପତି ମହାରାଜା ପ୍ରସ୍ତୁତ କରିଥିବା ୯୭ ପୃଷ୍ଠାର ତଥ୍ୟ ସମ୍ବଳିତ ଚିଠା ସେମାନଙ୍କୁ ଦିଆଯାଇଛି। ସେମାନେ ରହୁଥିବା ଦେଶରେ ଏହାର ପ୍ରସାର ସହ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବେ। ଅନ୍ୟପଟେ ଏ ଦିଗରେ ଜନମତ ବି ଲୋଡ଼ିଛି ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ବିଶ୍ୱବ୍ୟାପୀ ସଂଗଠନ। ଆବଶ୍ୟକ ପଡିଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟି କହିଛନ୍ତି। ବର୍ତ୍ତମାନ ସମୟରେ ଅଦିନିଆ ରଥଯାତ୍ରା ହେଉଛି ଏକ ନମ୍ବର ଅପପ୍ରଚାର ଓ ଭୟଙ୍କର ବ୍ୟତିକ୍ରମ ବୋଲି ପୂର୍ବରୁ କହିଥିଲେ ଗଜପତି ମହାରାଜା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବି ଅବଗତ କରାଇଛନ୍ତି। ଏବେ ପ୍ରବାସୀ ଭାରତୀୟ, ସାଧୁସନ୍ଥ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ କଡା ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଛନ୍ତି ଗଜପତି ମହାରାଜା।

Leave a Reply

Your email address will not be published. Required fields are marked *

error: Content is protected !!