ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଏଥିପାଇଁ ବଡଦାଣ୍ଡ ସ୍ଥିତ ରାଜାନଅର ସମ୍ମୁଖ ରଥଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ନିର୍ମାଣକାରୀ ସେବକ ମାନେ ତିନିରଥର ନିର୍ମାଣ କାର୍ଯ୍ଯ ଦ୍ରୁତ ଗତିରେ କରୁଛନ୍ତି । ରବିବାର ରଥ ନିର୍ମାଣର ୬୯ ତମ ଦିବସରେ ରଥ ନିର୍ମାଣ କାରୀ ସେବକ ମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରବିବାର ୧୨ ଗୋଟି ଦୁଆର ବେଢ଼ାର ରଙ୍ଗ କାର୍ଯ୍ଯ ଶେଷ ହୋଇଛି । ଶନିବାର ସୁଦ୍ଧା ତିନିରଥର ବେଦୀ ସିଂହାସନ ନିର୍ମାଣ କାର୍ଯ୍ୟ ସହ ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ସହ ତିନିରଥର ପ୍ରଭା ରେ ରୂପ ଖୋଦେଇ ଜାରୀ ରହିଥିଲା । ତିନିରଥର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥରେ ପଟା ପଡ଼ି ବେଦୀ ନିର୍ମାଣ ଶେଷ କରିବାସହ ତିନିରଥର ବେଦୀ ସିଂହାସନ ମୁହାଁଟି ବେଦୀ ରେ ଫିଟିଙ୍ଗ କାର୍ଯ୍ୟ ଶେଷ କରିଛନ୍ତି।ଚାର ମାଲ ବନ୍ଧା ପାଇଁ ଏକଗୋଟି ୩୦ ଫୁଟିଆ ଶାଳ ମାଲ କାଠର ଚଉପଟ କାର୍ଯ୍ୟ ଆଜି ଶେଷ ହେବାପରେ ଚାର ମାଲ ବନ୍ଧା କାର୍ଯ୍ୟ ପାଇଁ ଉକ୍ତ ଚଉପଟ ଶାଳ ମାଲ କାଠକୁ କୋଠା ସୁଆଁସିଆ ସେବକ ମାନଙ୍କୁ ଯୋଗାଇ ଦିଆଯାଇଛି। ଆଜି ତିନିରଥର ଚାରି ଗୋଟି ଲେଖାଏଁ ୧୨ ଗୋଟି ଦୁଆର ବେଢ଼ାରେ ଚିତ୍ରକାର ସେବକ ମାନେ ଦୁଆର ବେଢ଼ା ଗୁଡିକରେ ରାହୁ ମୁଣ୍ଡ ରୂପ ଚିତ୍ର ସହ ସେଥିରେ ଛାୟା ମାୟା ରଙ୍ଗ ଚିତ୍ର କାର୍ଯ୍ୟ ଶେଷ କରିଛନ୍ତି ।

ମୁଖ୍ୟ ରୂପକାର ସେବକ ଏବଂ ସହଯୋଗୀ ରୂପକାର ସେବକ ମାନେ ମିଶି ତିନିରଥର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟକୁ ଆଗେଇ ନେବା ସହ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚିତ୍ରକାର ସେବକ ମାନେ ତିନିରଥର ଟେକେରା ବାଡ଼,ଶୁଆ, ଅଁଳା,ଋଷି ପଟା, ହାତୀ ପଟା, ସଖୀ ଗୁଡିକରେ ରଙ୍ଗ କାର୍ଯ୍ୟ ଶେଷ କରି ନାଟ ଗୋଡ଼, ରଥ ପାର୍ଶ୍ୱ ମୂର୍ତ୍ତି,, କନ୍ୟା ପଟା, କଳସ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ସହ ତିନିରଥର ସାରଥିରେ ପ୍ରାଇମର୍ ପରେ ରଙ୍ଗ କାର୍ଯ୍ୟ ଜାରୀ ରହିଛି, ଏଥିସହ ତିନିରଥର ବାହ୍ୟ ଅଂଶ ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରୀ ରହିଛି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନିରଥର ବେଦୀ ସିଂହାସନ ଗୁନଠୀ ୧୦ ଟି ଲେଖାଏଁ କଣ୍ଟା ଶେଷ କରି ଧ୍ୱଜ ବତା କଣ୍ଟା, ଧୂଳି ଦଣ୍ଡା କଣ୍ଟା, ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ପାହି ମହାରଣା ମାନେ ଅଣସର ପାଇଁ କାଠ ,ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଶେଷ କରି ରଥଯାତ୍ରା ରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।ତିନିରଥ ର ମହାରଣା ସେବକ ୭୭ ଜଣ, ଭୋଇ ସେବକ ୭୬ଜଣ, ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ , କରତୀ ସେବକ ୪ଜଣ,ତୁମ୍ବ ବିନ୍ଧ କାରୀଗର ୨ଜଣ ,ପାହି ମହାରଣା ୨ଜଣ ,ଚିତ୍ରକାର ୪୦ ଜଣ, ରଥଖଳା ସହାୟକ ୧ଜଣ ମୋଟ ୨୪୩ ଜଣ ସେବକ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
