ପୁରୀ: ମାଆ ହୋମଗାର୍ଡ, ପୁଅ ଦଲାଲ୍ । ଶ୍ରୀମନ୍ଦିର ନିକଟରେ ଦଲାଲ୍ ପୁଅର ଏଭଳି ଦଲାଲି କାରନାମାକୁ ଧରିଛନ୍ତି ସେବାୟତ । ସେବାୟତଙ୍କ ହାତରେ ଦଲାଲ୍ ଜଣକ ଧରାପଡ଼ିବା ପରେ ସବୁ ସତ ବଖାଣିଛି । ସେବକଙ୍କ ହାତରେ ଧରାପଡିଥିବା ଏହି ଦଲାଲ୍ ଜଣକ ନିଜ ନାମ ଓମ୍ ପ୍ରକାଶ ପାଣି ବୋଲି କହିଛି । କେବଳ ସେତିକି ନୁହେଁ ତାଙ୍କ ମାଆ ପୋଲିସ ଚାକିରି କରିଛନ୍ତି ବୋଲି ଦଲାଲ୍ ଜଣକ କହୁଛି । ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଭିଆଇପି ଦର୍ଶନ ନାଁରେ ଦଲାଲ୍ ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି ।ଏନେଇ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼କୁ ଆସିଥିଲା ପୋଲିସ । ଗତ ୭ ଦିନ ମଧ୍ୟରେ ପୋଲିସ ୧୩ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଥାପି ଦଲାଲଙ୍କ ମଧ୍ୟରେ ପୋଲିସ ପ୍ରତି ଡରଭୟ ରହୁନାହିଁ । ଶ୍ରୀମନ୍ଦିର ଠାରେ ମାଳମାଳ ଦଲାଲ୍ ପୋଲିସକୁ ଚ୍ୟାଲେଞ୍ଜ କରି ଏବେ ବି ଦଲାଲି କରୁଛନ୍ତି । ଏଣୁ ପୁରୀ ପୋଲିସ ସମସ୍ତ ଦଲାଲ୍ ମାନଙ୍କୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ତେବେ ଖୋଦ୍ ପୋଲିସର ପୁଅ ଯଦି ଦଲାଲ୍ ସାଜି ଭକ୍ତଙ୍କୁ ଲୁଟୁଛି ତେବେ ପୁରୀ ଏସ୍ପି ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏଣୁ ତୁରନ୍ତ ପୁରୀ ଏସପି ଏହି ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ରହିଛି
