ଫୁଲବାଣୀ: ରବିବାର ସକାଳର କୋମଳ ସୂର୍ଯ୍ୟକିରଣ ମଧ୍ୟରେ ଫୁଲବାଣୀର ଗୋପବନ୍ଧୁ ଛକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା । ସେଠାରେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକାସାଙ୍ଗରେ ହଜାରରୁ ଅଧିକ ଲୋକଙ୍କ ଯୋଗାଭ୍ୟାସ, ପ୍ରାଣାୟାମ ଓ ସୁସ୍ଥ ଜୀବନର ସଂକଳ୍ପ ମଧ୍ୟରେ ଭବ୍ୟ ଭାବେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ଯୋଗ ଦିବସ। ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଯୋଗ ମହୋତ୍ସବ ସମିତିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଅଧିକାରୀ, ଯୋଗପ୍ରେମୀ ଏବଂ ସହରବାସୀଙ୍କ ଉପସ୍ଥିତି ଯୋଗୁଁ ଯୋଗ ଦିବସ ବହୁ ସମାରୋହ ରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ଥିମ୍ “ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ନିମନ୍ତେ ଯୋଗ”କୁ ଆଧାର କରି ଯୋଗ ଗୁରୁ ପ୍ରଶାନ୍ତ ଦାସଙ୍କ ନେତୃତ୍ୱରେ ତାଡାସନ, ବଜ୍ରାସନ, ଭୁଜଙ୍ଗାସନ, ମକରାସନ ଏବଂ ପବନମୁକ୍ତାସନ ସମେତ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା। ଏକକାଳୀନ ଭାବେ ଶତାଧିକ ଲୋକଙ୍କ ଯୋଗାଭ୍ୟାସ ଦୃଶ୍ୟ ସମଗ୍ର ପରିବେଶକୁ ଉତ୍ସାହିତ କରିଥିଲା। କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗକୁ ଭାରତର ଅମୂଲ୍ୟ ଐତିହ୍ୟ ବୋଲି ବର୍ଣ୍ଣନା କରିଥିଲେ। ଜିଲ୍ଲାପାଳ ବେଦଭୂଷଣ ନିଜ ବକ୍ତବ୍ୟରେ ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ଓ ମନକୁ ସୁସ୍ଥ ରଖିବା ସମ୍ଭବ । ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ଯୋଗ କରିବା ଦରକାର ବୋଲି କହିଥିବାବେଳେ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ ଯୋଗ ମାନସିକ ଦୃଢତା ଓ ସକାରାତ୍ମକ ଜୀବନଶୈଳୀ ଗଠନରେ ସହାୟକ ବୋଲି ମତ ପ୍ରକାଶ କରିଥିବା ବେଳେ ଯୁବ ପିଢ଼ି ନିଶା ଦ୍ରବ୍ୟ ତ୍ୟାଗ କରନ୍ତୁ । ସକାରାତ୍ମକ ଚିନ୍ତା ଧାରା ରଖିବା ଦରକାର ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ କୁଶଲ ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ ଭିକାରି ସାହୁ, ଊଟଊଇ ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ।ଅତିଥିମାନେ “ନିୟମିତ ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ” ବାର୍ତ୍ତା ଦେଇ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମନୋମୁଗ୍ଧକର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ଜିଣିନେଇଥିଲା। ଶେଷରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ୱ ଶାନ୍ତି ଓ ମାନବ କଲ୍ୟାଣ କାମନା କରିଥିଲେ। ଆଜିର ଏହି ଦିବସ ରେ ଯୋଗ, ସ୍ୱାସ୍ଥ୍ୟ ଓ ସଚେତନତାର ଏହି ମହାମିଳନ ଫୁଲବାଣୀ ସହରବାସୀ ଆଇନଜୀବୀ,ବରିଷ୍ଠ ନାଗରିକ,ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।
