ବାରିପଦା /କରଞ୍ଜିଆ: କରଞ୍ଜିଆ ସହରର କରଡିଆ ଷ୍ଟୁଡେଣ୍ଟସ୍ କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ଏକଦିନିଆ ମା’ କୀଚକେଶ୍ୱରୀ କ୍ରିକେଟ୍ ନାଇଟ୍ ଟୁର୍ଣ୍ଣାମେଣ୍ଟ ଉତ୍ସାହ ଓ ଉଦ୍ଦୀପନାର ସହ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମୁକାବିଲା ପଟାକାଠ ଛକ ଓ ଭେଲୋସିଟି କିଙ୍ଗ୍ କରଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପଟାକାଠ ଛକ ଦଳ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍ ହରାଇ ୮୮ ରନ୍ ସଂଗ୍ରହ କରିଥିଲା। ଜବାବରେ ଭେଲୋସିଟି କିଙ୍ଗ୍ କରଡିଆ ଦଳ ୫୫ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ପଟାକାଠ ଛକ ୩୩ ରନ୍ର ବିଜୟ ସହ ଚାମ୍ପିଅନ୍ ଟ୍ରଫି ହାସଲ କରିଥିଲା। ବିଜେତା ପଟାକାଠ ଛକ ଦଳକୁ ୯ ହଜାର ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଭେଲୋସିଟି କିଙ୍ଗ୍ କରଡିଆ ଦଳକୁ ୭ ହଜାର ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ୍ ମ୍ୟାଚ୍ରେ ଜଗାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ଖେଳଗୁଡ଼ିକୁ ନନ୍ଦ ଗିରି ଓ ଲିଟୁନ ଅମ୍ପାୟାର ଭାବେ ସଫଳତାର ସହ ପରିଚାଳନା କରିଥିଲେ। କ୍ଲବର ସଭାପତି ଉମାକାନ୍ତ ଗିରି, ସମ୍ପାଦକ ଶିବ ଦାସ, ସଦସ୍ୟ ଚିକୁନ ଗିରି, ବାପୁନ ବାରିକଙ୍କ ସମେତ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟର ସୁପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
