ପୁରୀ: ରାଜ୍ୟ ସରକାରଙ୍କ ନିଜର ଶାସନ ଅବଧି ପୂରଣର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ, ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ପ୍ରଗତି ଓ ସଫଳତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ପାଇଁ ପୁରୀ ନୀଳାଞ୍ଚଳ ଅର୍ବାନ୍ ହାଟରେ ଏକ ପ୍ରଦର୍ଶିନୀର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ବିକାଶର ଧାରା ଓଡ଼ିଶା ସାରା ଅଭିଯାନ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମାନ୍ୟବର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀର ଶୁଭ ଉଦଘାଟିତ ହୋଇଯାଇଛି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପୌରପାଳିକା କମିଶନର ଅରୁଗୁଳା ସ୍ନେହା ମଧ୍ୟ ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ପୁରୀ ତରଫରୁ ଏହି ପ୍ରଦର୍ଶନୀରେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ସୂଚନା ପ୍ରଦର୍ଶିତ କରାଯାଇଛି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା, ଡେଙ୍ଗୁ ଓ ଡାଇରିଆ ନିରାକରଣ,ଟିବି ମୁକ୍ତ ଭାରତ ଅଭିଯାନ ଏବଂ ବିଶେଷକରି ନିରୀକ୍ଷଣ-ପୁରୀ ଯାହାକି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ତଥା ବିପଦ ସଂକୁଳ ଗର୍ଭଧାରଣା ଅବସ୍ଥା ଏବଂ ପରିଚାଳନା ନିମିତ୍ତ ଅନେକ ଉପାଦିୟ ସୂଚନା ଏଥିରେ ପ୍ରଦର୍ଶିତ କରାଯାଇଛି । ଟେଲିଭିଜନ ମାଧ୍ୟମରେ ମଧ୍ୟ ଅନେକ ସଚେତନତା ଭିଡ଼ିଓ ମଧ୍ୟ ପ୍ରଦର୍ଶନ କରାଯାଉଛି । ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀଟି ତିନି ଦିନ ବ୍ୟାପି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥି, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ, ଶ୍ରୀ ବେଣୁଧର ନାୟକ ଅତିରକ୍ତ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ, ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ସନ୍ଦୀପ ବରଣ ଓଝା,ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା ତଥା ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମକର୍ତ୍ତା ଓ ସହରାଂଚଳର ଆଶା କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।
