ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ପୁରୀ ଶ୍ରୀମନ୍ଦିରକୁ ଆସୁଛନ୍ତି। କିନ୍ତୁ କିଛି ଅସାଧୁ ବ୍ୟକ୍ତି ନିଜକୁ ଯାତ୍ରୀ ଗୁମାସ୍ତା ବୋଲି ପରିଚୟ ଦେଇ ଭକ୍ତମାନଙ୍କୁ ମିଛ ପ୍ରଲୋଭନ ଦେଉଥିବା, ବିଶେଷ ଦର୍ଶନ କରାଇବା ନାଁରେ ଠକେଇ କରି ଟଙ୍କା ଆଦାୟ କରୁଥିବା ବାବଦରେ ପୁରୀ ପୋଲିସ ପାଖରେ ନିର୍ଭରଯୋଗ୍ୟ ସୂଚନା ଆସିଥିଲା। ଏହି ସୂଚନାକୁ ଗୁରୁତ୍ୱର ସହ ଗ୍ରହଣ କରି ସିଂହଦ୍ୱାର ଥାନା ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ବିଶେଷ ନଜରଦାରି ଓ ଚଢ଼ାଉ କରାଯାଇଥିଲା। ସିଭିଲ୍ ଡ୍ରେସ୍?ରେ ପୋଲିସ କର୍ମଚାରୀମାନଙ୍କୁ ମୁତାୟନ କରାଯାଇ ସନ୍ଦେହଭାଜନ ବ୍ୟକ୍ତିମାନଙ୍କ ଉପରେ କଠୋର ନଜର ରଖାଯାଇଥିଲା। ଏହି ଅଭିଯାନ ସମୟରେ ତାରିଖ ୧୮/୬/୨୦୨୬ ରେ ସିଂହଦ୍ୱାର ଥାନା କେସ୍ ନଂ ୧୪୯/୨୬ ଅନୁଯାୟୀ ୫ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ଆଦାଲତରେ ହାଜର କରାଯାଇଛି। ଆଜି ୧୯/୬/୨୦୨୬ ରେ ସିଂହଦ୍ୱାର ଥାନା କେସ୍ ନଂ ୧୫୧/୨୬ ଅନୁଯାୟୀ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏମାନେ ଭକ୍ତମାନଙ୍କୁ ବିଶେଷ ଦର୍ଶନର ମିଛ ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିଲେ। ଗତ ୫ ଦିନ ମଧ୍ୟରେ ସିଂହଦ୍ୱାର ପୋଲିସ ମୋଟ ୧୧ ଜଣ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ଗିରଫ କରିଛି। ଏହି ସଫଳତା ସିସିଟିଭି ଫୁଟେଜ୍, ଗୁପ୍ତ ସୂଚନା ଏବଂ ବିଭିନ୍ନ ତଦନ୍ତମୂଳକ ପଦକ୍ଷେପ ଆଧାରରେ ସମ୍ଭବ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶଙ୍କର ବିଶ୍ୱାଳ,ଅରୁଣ ପାତ୍ର, ବାବୁନି ମହାପାତ୍ର,ସର୍ବେଶ୍ୱର ରାଉତ,ରଞ୍ଜିତ ସାମନ୍ତରାୟ,ବିକ୍ରମ ପ୍ରଧାନ,ଅଜୟ କୁମାର ଜେନା,ଉମାକାନ୍ତ ପାଢ଼ୀ ସହ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଏହି ରାକେଟ୍?ରେ ସଂପୃକ୍ତ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ପାଖରୁ ପୋଲିସ ୨ ହଜାର ୬୨୦ ଟଙ୍କା ନଗଦ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି। ପୁରୀ ପୋଲିସ ସମସ୍ତ ଭକ୍ତମାନଙ୍କୁ ଅନୁରୋଧ କରୁଛି ଯେ, କୌଣସି ବ୍ୟକ୍ତି ଯଦି ବିଶେଷ ଦର୍ଶନ, ଶୀଘ୍ର ଦର୍ଶନ କିମ୍ବା ଅନ୍ୟ କୌଣସି ସୁବିଧା ଦେବା ନାଁରେ ଟଙ୍କା ଦାବି କରନ୍ତି, ତେବେ ସେମାନଙ୍କ ପ୍ରଲୋଭନରେ ପଡ଼ନ୍ତୁ ନାହିଁ।ଏପରି ଅସାଧୁ ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ, ସିଂହଦ୍ୱାର ଥାନା କିମ୍ବା ପୁରୀ ପୋଲିସ କଣ୍ଟ୍ରୋଲ୍ ରୁମକୁ ସୂଚନା ଦିଅନ୍ତୁ। ପୁରୀ ପୋଲିସ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସୁନିଶ୍ଚିତ ଦର୍ଶନ ପାଇଁ ସଦା ସଚେତନ ଏବଂ ପ୍ରତିବଦ୍ଧ।
