ବାରିପଦା: ମୟୂରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ବ୍ଲକ, ରୁଗୁଡ଼ିବେଡ଼ା ସ୍ଥିତ ସତସଙ୍ଗ କେନ୍ଦ୍ର ନିକଟରେ ୧୬ ତାରିଖ ରାତି ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ଜଣେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଛାଡ଼ି ଦିଆଯାଇଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ କଲେଇଯାଉ ଗ୍ରାମର ପ୍ରସାଦ ମାର୍ଣ୍ଡିଙ୍କ ପୁଅ ରାମରାୟ ମାର୍ଣ୍ଡି ଓ ତାଙ୍କ ସାଙ୍ଗ ଖୁଣ୍ଟାପୋଷୀ ଗ୍ରାମର ରବୀନ୍ଦ୍ର ମାର୍ଣ୍ଡି କୌଣସି କାର୍ଯ୍ୟ ପାଇଁ ଜୁଆଳିକଟା ଅଞ୍ଚଳକୁ ଯାଇଥିଲେ। କାମ ସାରି ଉଭୟ ଏକ ବାଇକରେ ଘରକୁ ଫେରୁଥିବା ସମୟରେ ରୁଗୁଡ଼ିବେଡ଼ା ସତସଙ୍ଗ କେନ୍ଦ୍ର ନିକଟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିପରୀତ ଦିଗରୁ ବାଇକ ଚଳାଇ ଆସୁଥିବା ବିଶ୍ୱଜିତ ପାତ୍ର ଦ୍ରୁତ ଗତିରେ ଥିଲେ। ଫଳରେ ତାଙ୍କ ବାଇକ ରାମରାୟଙ୍କ ବାଇକ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ତିନିଜଣ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବିଶ୍ୱଜିତ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୁରୁତର ଆହତ ରାମରାୟ ମାର୍ଣ୍ଡିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରବୀନ୍ଦ୍ର ମାର୍ଣ୍ଡି ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ମୃତ ବିଶ୍ୱଜିତ ପାତ୍ର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ନନ୍ଦକୁମାର ଥାନା ଅଞ୍ଚଳର ବୋଇତବେରିଆ ଗ୍ରାମର ବସନ୍ତ ପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ଧରି ଠାକୁରମୁଣ୍ଡା ଅଞ୍ଚଳରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଜବତ କରିଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ଦୁର୍ଘଟଣାର ପରିସ୍ଥିତି ନେଇ ଅଧିକ ତଦନ୍ତ କରୁଥିବାର ପ୍ରକାଶ ।
