ବାରିପଦା / କରଞ୍ଜିଆ : କରଞ୍ଜିଆ ଥାନା ଅଧୀନ ଅଙ୍କୁରା ଗ୍ରାମର ଜଣେ ମହିଳାଙ୍କ ଘରେ ପଶି ସୁନା ଚୋରି କରିବା ଘଟଣାରେ କରଞ୍ଜିଆ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣାର ପର୍ଦ୍ଧାଫାଶ କରିଛନ୍ତି। ପ୍ରାପ୍ତ ସୂଚନା ମୁତାବକ ଜୁନ ୧୨ ତାରିଖ ଦିନ ଅଙ୍କୁରା ଗ୍ରାମର ତପସ୍ୱିନୀ ମହାନ୍ତଙ୍କ ଘରେ ଜଣେ ଚୋର ପ୍ରବେଶ କରି ଘରେ ଥିବା ତାଙ୍କ ଓ ତପସ୍ୱିନୀଙ୍କୁ ଡରାଇ ସେ ପିନ୍ଧିଥିବା ସୁନା ଚେନ୍ କୁ ଧରି ଚମ୍ପଟ୍ ମାରିଥିଲା। ଏନେଇ ତପସ୍ୱିନୀ କରଞ୍ଜିଆ ଥାନାରେ ଅଭିଯୋଗ କରିବା ପରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ମଧ୍ୟ ଘଟଣାକୁ ଗୁରୁତର ସହକାରେ ନେଇଥିଲେ।ଏନେଇ କରଞ୍ଜିଆ ଥାନାରେ କେଶ ନଂ ୨୩୦/୨୬ ମୂଳେ ମାମଲା ରୁଜୁ କରାଯାଇ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏଏସଆଇ ଅମ୍ବିକା ମହାନ୍ତଙ୍କ ସହିତ ଏକ ଟିମ୍ ଗଠନ କରାଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଶ୍ୟାମପୂର୍ ଥାନା ଅଞ୍ଚଳର କାଜିନୂର୍ ହୁସେନକୁ ସେଠାରୁ ଗିରଫ କରିବା ସହିତ ଟଙ୍କା ଜବତ କରିଥିଲେ। ସେ ସୁନା ବନ୍ଧା ଦେଇଥିବା ଯଶୀପୁର ଅଞ୍ଚଳର କଲ୍ୟାଣୀ ଜୁଏଲାରୀରେ ଚଢାଉ କରି ସୁନା ଚେନ ଜବତ କରି ମାଲିକଙ୍କୁ ବେଆଇନ ଭାବେ ସୁନା ବନ୍ଧା ରଖିଥିବାରୁ ତାଙ୍କୁ ମଧ୍ୟ ଗିରଫ କରି ଉଭୟଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ନାୟକ ପ୍ରେସ ବିବୃତିରେ ସୂଚନା ପ୍ରଦାନ କରିଛନ୍ତି। ଏହାସହିତ ତପସ୍ୱିନୀଙ୍କୁ ମଧ୍ୟ ତାଙ୍କ ଚୋରି ସାମଗ୍ରୀ ଥାନାରେ ପ୍ରଦାନ କରାଯାଇଥିଲା।
