ଭୁବନେଶ୍ୱର : ଖବର ପ୍ରସାରଣର ବଡ଼ ପ୍ରଭାବ । ରାଜଧାନୀରେ ଜନପଥ ପାର୍କିଂ ବିବାଦ ପରେ ଚେତିଲା BMC । ଏଣିକି ଆଉ ଗାଡ଼ି ଉଠାଯିବ ନାହିଁ ବୋଲି କହିଛନ୍ତି ମେୟର । ରାଜଧାନୀରେ ବିଏମସିର ମନମୁଖୀ କାର୍ଯ୍ୟାନୁଷ୍ଠାନ ନୀତି ଉପରେ ‘କଳିଙ୍ଗ ଟିଭି’ରେ ଖବର ପ୍ରସାରଣ ପରେ ତତ୍କାଳ ଆକ୍ସନକୁ ଆସିଛି BMC। ଏଣିକି ବିଏମସି ପକ୍ଷରୁ ଜନପଥରୁ ଆଉ ଉଠାଯିବା ନାହିଁ ଗାଡ଼ି । ଏ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ସହ ସଠିକ ସୂଚନା ପହଞ୍ଚି ନାହିଁ , ସେପର୍ଯ୍ୟନ୍ତ ଆମେ କୌଣସି ଗାଡ଼ି ଉଠାଇବୁ ନାହିଁ । ଲୋକମାନେ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଆମେ ସତର୍କ ରହିଛୁ। ଏମିତିକି ଜନପଥରେ ଏକ ପାର୍କିଂ ସ୍ଥାନକୁ ନୋ ପାର୍କିଂ ବୋଲି ଲେଖି ସଂପୃକ୍ତ ଏଜେନ୍ସି ଟଙ୍କା ଆଦାୟ କରୁଥିବା କଥାକୁ ସ୍ବୀକାର କରିଛନ୍ତି ମେୟର । ଭୁବନେଶ୍ବର ଜନପଥ ରୋଡ୍ ରେ କାର୍ କିମ୍ବା ବାଇକ୍ ପାର୍କିଂ କଲେ ମୋଟା ଅଙ୍କର ଜରିମାନା ଦେବା ନେଇ ଭୁବନେଶ୍ୱର ମହାନଗର ନିଗମ ଆଣିଥିଲା ନୂଆ ନୋଟିଫିକେସନ।
