ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାପ୍ତ ଦାନ ଏବଂ ମୂଲ୍ୟବାନ ଜିନିଷପତ୍ର ହଡ଼ପ ଅଭିଯୋଗରେ ଏଫଆଇଆରରେ ନାମିତ ୮ ଜଣଙ୍କୁ ଗିରଫ କରାଯାଇଛି, ପୋଲିସ ଅଧିକାରୀମାନେ ଶୁକ୍ରବାର କହିଛନ୍ତି। ମନ୍ଦିର ଦାନ ପରିଚାଳନାରେ ଅନିୟମିତତା ଅଭିଯୋଗରେ ତିନି ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବାର ଦୁଇ ଦିନ ପରେ ଏହି ଗିରଫଦାରୀ ହୋଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସହିତ ଜଡିତ କୃଷ୍ଣ ମୋହନଙ୍କ ଅଭିଯୋଗ କ୍ରମେ ଗୁରୁବାର ସନ୍ଧ୍ୟାରେ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଛି।
ଅଭିଯୁକ୍ତମାନଙ୍କୁ ରାମଶଙ୍କର ଯାଦବ ଓରଫ ଟିନୁ, ଲବକୁଶ ମିଶ୍ର, ଅନୁକଲ୍ପ ମିଶ୍ର, ଅଭିନାଶ ଶୁକ୍ଳା, ମନୀଷ ଯାଦବ, ରାମଶଙ୍କର ମିଶ୍ର, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ ଏବଂ କରୁଣେଶ ପାଣ୍ଡେ ଭାବରେ ଚିହ୍ନଟ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ଅଧୀନରେ ସେମାନଙ୍କ ବିରୁଦ୍ଧରେ ଚୋରି, ଅପରାଧିକ ବିଶ୍ୱାସ ଭଙ୍ଗ, ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ପୋଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତମାନେ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଦାନ କରାଯାଇଥିବା ନଗଦ ଏବଂ ମୂଲ୍ୟବାନ ଜିନିଷ ଗଣନା ପ୍ରକ୍ରିୟାରେ ସାମିଲ ଥିଲେ। ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ମନ୍ଦିର ପରିସରରେ ସ୍ଥାପିତ ବାକ୍ସ ମାଧ୍ୟମରେ ସଂଗୃହୀତ ଦାନର ଅପବ୍ୟବହାର କରିଛନ୍ତି। ଏଫଆଇଆରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ, ଟ୍ରଷ୍ଟ ସଦସ୍ୟ ଡକ୍ଟର ଅନିଲ ମିଶ୍ର କିମ୍ବା ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓଙ୍କ ନାମ ସାମିଲ ନାହିଁ, ଯଦିଓ ପ୍ରାଥମିକ ତଦନ୍ତ ସମୟରେ ସେମାନଙ୍କୁ ଏସ୍ଆଇଟି ପଚରାଉଚରା କରିଥିଲା। ଜୁନ୍ ୧୩ ତାରିଖରେ ଆର୍ôଥକ ଅନିୟମିତତାର ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା, ଯାହା ପରେ ଟ୍ରଷ୍ଟ ସରକାରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଅନୁରୋଧ କରିଥିଲା। ଲକ୍ଷ୍ନୌ ଡିଭିଜନାଲ କମିଶନର ବିଜୟ ବିଶ୍ୱାସ ପନ୍ତଙ୍କ ନେତୃତ୍ୱରେ ତିନି ସଦସ୍ୟ ବିଶିଷ୍ଟ ଏସଆଇଟିର ନେତୃତ୍ୱ ନେଇଥିଲେ, ଯେଉଁଥିରେ ଲକ୍ଷ୍ନୌ ରେଞ୍ଜ ଆଇଜି କିରଣ ଏସ୍ ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ନୀଳରତନ କୁମାର ସଦସ୍ୟ ଥିଲେ। ଏସଆଇଟି ଦାନ ସଂଗ୍ରହ, ନଗଦ ଗଣନା, ସଂରକ୍ଷଣ ଏବଂ ତଦାରଖ ସହିତ ଜଡିତ ରେକର୍ଡ ଯାଞ୍ଚ କରିଥିଲା, ମନ୍ଦିର କର୍ମଚାରୀ ଏବଂ ପ୍ରକ୍ରିୟା ସହିତ ଜଡିତ ଅଧିକାରୀମାନଙ୍କୁ ପଚରାଉଚରା କରିଥିଲା। ସୂତ୍ରଗୁଡ଼ିକ କହିଛନ୍ତି ଯେ ତଦନ୍ତ ଏବେ ଫୌଜଦାରୀ ମାମଲା ପର୍ଯ୍ୟାୟକୁ ଯିବ, ପୋଲିସ ଆର୍ôଥକ ରେକର୍ଡ ଯାଞ୍ଚ କରିବ, ଅଭିଯୁକ୍ତଙ୍କୁ ପଚରାଉଚରା କରିବ ଏବଂ ପାଣ୍ଠିର କଥିତ ସ୍ଥାନାନ୍ତରକୁ ଖୋଜିବ। ଅଧିକାରୀମାନେ ସୂଚିତ କରିଛନ୍ତି ଯେ ଆହୁରି ଗିରଫଦାରୀ ହୋଇପାରେ ଏବଂ ଅଧିକ ପ୍ରମାଣ ମିଳିଲେ ଅତିରିକ୍ତ ଅଭିଯୋଗ ଯୋଡା ଯାଇପାରେ।
