ନୂଆଦିଲ୍ଲୀ: ଅର୍ଣ୍ଣବ ବାତ୍ୟାରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ବାପାଟଲା ଏବଂ ବିଶାଖାପାଟଣା ମଧ୍ୟରେ, ୟାନାମ୍ ନିକଟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ, ଯାହା ଝଟକା ସହ ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ମଙ୍ଗଳବାର ଭୋର ୨ଟା ୩୦ ମିନିଟ୍ ସମୟରେ ଅଧିକ ଶକ୍ତିଶାଳୀ ହେବା ପୂର୍ବରୁ, ଏହି ବାତ୍ୟା ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଥିଲା। ଏହା ପ୍ରାରମ୍ଭରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବୋଲି ଆଶା କରାଯାଉଛି। ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୩୦ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକ ପାଇଁ ମଧ୍ୟ ଚେତାବନୀ ଜାରି କରିଛି। କାକିନାଡ଼ା ବନ୍ଦର ପାଇଁ “ଗ୍ରେଟ୍ ଡେଞ୍ଜର ୧୦’ ବା “ମହା ବିପଦ ସଙ୍କେତ-୧୦’ ଜାରି କରାଯାଇଥିବା ବେଳେ, ବିଶାଖାପାଟଣା ଏବଂ ଗଙ୍ଗାଭରମ୍ ବନ୍ଦର ପାଇଁ “ଗ୍ରେଟ୍ ଡେଞ୍ଜର ୯’ ସଙ୍କେତ ଦିଆଯାଇଛି। ମାଛଲିପାଟଣା ଏବଂ ନିଜାମପାଟଣା ବନ୍ଦର ପାଇଁ “ଗ୍ରେଟ୍ ଡେଞ୍ଜର ୮’ ଚେତାବନୀ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅନେକ ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ, ପ୍ରଶାସନ ପକ୍ଷରୁ ସାମୁଦ୍ରିକ ଜୁଆର ଆସିବାର ସମ୍ଭାବନା ନେଇ ଚେତାବନୀ ଦିଆଯାଇଛି, ଯାହା ଫଳରେ ଉପକୂଳର ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପାରେ। ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରଖାଯାଇଛି, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଉପରେ କଟକଣା ଲଗାଯାଇଛି ଏବଂ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି। କାକିନାଡ଼ା ଉପକୂଳ ଅଞ୍ଚଳର ପ୍ରାୟ ୮୯,୦୦୦ ଲୋକଙ୍କୁ ୧୦୧ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଉଛି ଏବଂ ଓଡ଼ିଶାରେ ୪୮,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି। ରେଳ ବିଭାଗ ଅନ୍ତତଃ ୬୧ଟି ଟ୍ରେନ୍ ବାତିଲ କରିଛି, ଯାହା ମଧ୍ୟରୁ ଅଧିକାଂଶ ଗୋଦାବରୀ-କୃଷ୍ଣା ଡେଲ୍ଟା ଅଞ୍ଚଳର ଅଟେ।

ବିଶାଖାପାଟଣା ବିମାନବନ୍ଦରରେ ଚାରୋଟି ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଅନ୍ୟ ଚାରୋଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, ଚକ୍ରବାତ ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ, ତା’ର ଉଭୟ ପାର୍ଶ୍ୱରେ ପ୍ରାୟ ୧୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଭୟଙ୍କର ସାମୁଦ୍ରିକ ଜୁଆରର ପ୍ରଭାବ ପଡ଼ିପାରେ। ସମୁଦ୍ର ପାଣି ଭିତରକୁ ମାଡ଼ି ଆସିବା ଫଳରେ ଉପକୂଳବର୍ତ୍ତୀ ଗ୍ରାମ ଏବଂ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହୋଇପାରେ, ଯାହା ସେଠାରେ ରହୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ। ଉପକୂଳର ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନିର୍ଦ୍ଧାରିତ ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଏବଂ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଚକ୍ରବାତ “ଅର୍ଣ୍ଣବ’ର ପ୍ରଭାବ ଝାଡ଼ଖଣ୍ଡରେ ବର୍ଷା ହେବ। ପ୍ରଶାସନ ସତର୍କ ରହିଛି ଏବଂ ଅଧିକାରୀମାନଙ୍କୁ ଅକ୍ଟୋବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା, ରାଜସ୍ୱ, ପୌର, ପୋଲିସ, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳ ସମ୍ପଦ ବିଭାଗକୁ ନିମ୍ନ ଅଞ୍ଚଳ, ଜଳବନ୍ଦୀ ହେବାର ଆଶଙ୍କା ଥିବା ସ୍ଥାନ, ନଦୀ ଏବଂ ବଡ଼ ନାଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ମଙ୍ଗଳବାର ଦିନ ଓଡ଼ିଶା ସରକାର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟକୁ ଜୋରଦାର କରିଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ଅତ୍ୟନ୍ତ ଭୟଙ୍କର ଚକ୍ରବାତ “ଅର୍ଣ୍ଣବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପି. ପାଟିଲ କହିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ନିମ୍ନ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଅତିକମରେ ୪୮,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏଥିମଧ୍ୟରେ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରୁ ପ୍ରାୟ ୧୧,୦୦୦ ଲେଖାଏଁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏହା ବ୍ୟତୀତ ମାଲକାନଗିରି, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଏବଂ ନୂଆପଡ଼ାରେ ମଧ୍ୟ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି। ମଙ୍ଗଳବାର ଏବଂ ବୁଧବାର ଦିନ ଆଠଟି ଜିଲାରେ ବର୍ଷା ଲାଗି ରହିବ। ରାଜ୍ୟରେ ୧୩୫ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ପ୍ରାୟ ୧,୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଝଡ଼ ପବନର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକରେ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୋଟ ୨୯୪ଟି ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିବା ବେଳେ, ସରକାର ରିଲିଫ୍ କାର୍ଯ୍ୟ ପାଇଁ ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
