ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୬ ସକାଳ ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଆଇଏମଡିଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏହି ପାଣିପାଗ ପ୍ରଣାଳୀ ସୃଷ୍ଟି ହୋଇଛ। ଆଇଏମଡି କହିଛି ଯେ, “ଏହି ଲଘୁଚାପ କ୍ଷେତ୍ରଟି ସେହି ଅଞ୍ଚଳରେ ରହି ଅକ୍ଟୋବର ୨୪ ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ଏହା ପରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଅକ୍ଟୋବର ୨୫ ତାରିଖରେ ଏକ ଗଭୀର ଅବପାତରେ ପରିଣତ ହେବ। ପରିଶେଷରେ, ଅକ୍ଟୋବର ୨୬ ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାତ୍ୟାର ରୂପ ନେବାର ପ୍ରବଳ ସମ୍ଭାବନା ରହିଛି।’ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ଏହି ପାଣିପାଗ ପ୍ରଣାଳୀ ଆହୁରି ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ପାଣିପାଗ ପ୍ରଣାଳୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, “ଭାରତୀୟ ପାଣିପାଗ ବିଭାଗର ସୂଚନାକୁ ଆଧାର କରି, ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସୁଥିବା ଏହି ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ ପାଇଁ ରାଜ୍ୟ ସରକାର ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି।’ ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ, ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ଆଣ୍ଡାମାନ ଦ୍ୱୀପପୁଞ୍ଜ, ଉପକୂଳ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଜୋରଦାର ପବନ ବହିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗଅନୁଯାୟୀ, ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ ଏବଂ ଏହା ପରେ ପବନର ବେଗ କ୍ରମଶଃ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
