କୋଲକାତା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଚିମବଙ୍ଗର ଭୋଟର ତାଲିକାରୁ ହଟିବ ୫୮ ଲକ୍ଷରୁ ଅଧିକ ନାଁ। ଭାରତୀୟ ନିର୍ବାଚନ କମିଶନ ବେଙ୍ଗଲରେ କରିଥିବା ସ୍ପେଶାଲ ଇଂଟେନସିଭ୍ ରିଭିଜନ ବା ଏସ୍ଆଇଆର ପରେ ଆଜି ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ୫୮ ଲକ୍ଷ ଭୋଟରଙ୍କ ନାଁ କାଟିବାକୁ ଚିହ୍ନଟ କରାଯାଇଛି। ଅର୍ଥାତ ଡ୍ରାଫ୍ଟ ତାଲିକାରୁ ୫୮ ଲକ୍ଷ ନାଁ ବାଦ ପଡ଼ିଛି। ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବାର ଅର୍ଥ ଗଣନା ପ୍ରକ୍ରିୟା ଶେଷ ହୋଇଛି। ଏବେ ଦାବି, ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟରେ ଡ୍ରାଫ୍ଟ ତାଲିକାରୁ ଭୁଲବଶତଃ ଯଦି କାହାର ନାଁ ବାଦ ପଡ଼ିଛି, ତା’ହେଲେ ସେମାନେ ନିଜକୁ ସାମିଲ କରିବା ପାଇଁ ଉପଯୁକ୍ତ ଦସ୍ତାବିଜ ସହ ଆବେଦନ କରିପାରିବେ। ଏସ୍ଆଇଆର ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ୨୦୨୬ ଫେବୃଆରୀ ଯାଏ ଚାଲିବ। ଏହାପରେ ଭାରତୀୟ ନିର୍ବାଚନ କମିଶନ ୨୦୨୬ ମସିହା ଫେବୃଆରୀ ୧୪ରେ ବେଙ୍ଗଲର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବେ। ଆଜି ଇସିଆଇ ରିଲିଜ କରିଥିବା ତଥ୍ୟ ଅନୁସାରେ, ଭୋଟର ତାଲିକାରୁ ୫୮,୨୦, ୮୯୮ ଜଣଙ୍କ ନାଁ ହଟାଇବାକୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ୨୪,୧୬,୮୫୨ ଜଣ ଭୋଟରଙ୍କୁ ମୃତ ଭାବେ ବିବେଚନା କରାଯାଇଛି। ସେହିପରି ୧୯,୮୮,୦୭୬ ଜଣ ଭୋଟର ସ୍ଥାୟୀ ଭାବେ ଅନତ୍ର ଚାଲି ଯାଇଛନ୍ତି କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଛନ୍ତି। ଅତିରିକ୍ତ ଭାବେ ୧୨,୨୦,୦୩୮ ଜଣ ଭୋଟର ନିଖୋଜ ରହିଥିବା ବେଳେ ୧,୩୮,୩୨୮ ଜଣଙ୍କୁ ନକଲି, ମିଛ ଓ ବେଆଇନ ଭୋଟର ଭାବେ ଦର୍ଶାଯାଇଛି। ୫୭,୬୦୪ ଜଣଙ୍କ ନାଁ ଅନ୍ୟ କାରଣ ପାଇଁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ନିର୍ବାଚନ କମିଶନ କହିଛନ୍ତି। ତେବେ ଡ୍ରାଫ୍ଟ ତାଲିକାରୁ ବାଦ ପଡ଼ିଥିବା ଲୋକମାନେ ଫର୍ମ ୬ ସହ ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିପାରିବେ।
ପଶ୍ଚିମବଙ୍ଗରେ ଏସ୍ଆଇଆର; ଡ୍ରାଫ୍ଟ ତାଲିକାରୁ ୫୮ ଲକ୍ଷରୁ ଅଧିକ ନାଁ କଙ୍କିଲା















Leave a Reply