ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ କୁର୍ଲୁମାଲ ଗ୍ରାମରେ ଗତରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ପବନ ଜଣେ ଗରିବ ପରିବାର ଉପରେ ଦୁଃଖର ପାହାଡ଼ ଖସାଇ ଦେଇଛି। ଗ୍ରାମର ଗୋବର୍ଦ୍ଧନ ବରିହାଙ୍କ ଘରର ଆଡବେଷ୍ଟସ ଛାତ ଝଡ଼ ପବନରେ ଉଡ଼ିଯାଇଥିବାରୁ ପରିବାରଟି ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଗୋବର୍ଦ୍ଧନ ବରିହାଙ୍କ ପରିବାରରେ ଦୁଇ ପୁଅ, ଦୁଇ ବୋହୁ ଓ ନାତି-ନାତୁଣୀଙ୍କୁ ମିଶାଇ ମୋଟ ୧୧ ଜଣ ସଦସ୍ୟ ବସବାସ କରୁଛନ୍ତି। ଘଟଣା ସମୟରେ ଘର ଭିତରେ ଛୋଟ ଛୋଟ ଶିଶୁମାନେ ଥିବା ସତ୍ତ୍ୱେ ଭାଗ୍ୟବଶତଃ କୌଣସି ପ୍ରାଣହାନି କିମ୍ବା ବଡ଼ ଧରଣର ଅଘଟଣ ଘଟିନଥିଲା। ତେବେ ଘରର ଛାତ ଉଡ଼ିଯିବା ଫଳରେ ପରିବାରଟି ଏବେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି। ସରକାରୀ ସହାୟତା ପାଇଁ ପରିବାର ସଦସ୍ୟମାନେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟକୁ ଯାଇ ତହସିଲଦାରଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ସମୟରେ ତହସିଲଦାର କାର୍ଯ୍ୟାଳୟରେ ଉପସ୍ଥିତ ନଥିବାରୁ ସେମାନେ ନିଜ ଦୁଃଖ ଜଣାଇ ପାରିନଥିବା କହିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଆଲୋଚନା ଜୋର ଧରିଛି। କ୍ଷତିଗ୍ରସ୍ତ ପରିବାରର ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ଯଥାଶୀଘ୍ର ଘଟଣାର ତଦନ୍ତ କରି ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ବିପଦ ସମୟରେ ପ୍ରଶାସନର ତ୍ୱରିତ ପଦକ୍ଷେପ ହିଁ ଏହି ଅସହାୟ ପରିବାର ପାଇଁ ଆଶାର ଆଲୋକ ସାବ୍ୟସ୍ତ ହୋଇପାରେ।
