ନୂଆଦିଲ୍ଲୀ: ଶୁକ୍ରବାର ଦିନ ପଞ୍ଜାବର ସରାଇ ବଞ୍ଜାରା ରେଳ ଷ୍ଟେସନ୍ ନିକଟରେ କର୍ମଭୂମି ଏକ୍ସପ୍ରେସର ଚାରୋଟି ବଗିରେ ନିଆଁ ଲାଗିଯାଇଛି, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି ହୋଇଥିବା ନେଇ ଖବର ମିଳିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଅମୃତସର ଏବଂ ନୂଆ ଜଲପାଇଗୁଡ଼ି ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ନମ୍ବର ୧୨୫୦୮ “କର୍ମଭୂମି ଏକ୍ସପ୍ରେସ’ର ଇଞ୍ଜିନ୍ ପଟୁ ପଞ୍ଚମ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ, ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଟ୍ରେନର ବିଭିନ୍ନ ବଗିରୁ ନିଆଁ ଓ ଧୂଆଁ ବାହାରୁଛି। ରେଳ ବିଭାଗର ଅଧିକାରୀ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି। ସୂତ୍ର ଅନୁଯାୟୀ, ଅମୃତସରରୁ ଛାଡ଼ିଥିବା ଏହି ଟ୍ରେନ୍ଟି ରାଜପୁରା ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ତଥା ଏକ ଗାଁ ନିକଟରେ ଥିବା ବସନ୍ତପୁରା ରେଳ ଷ୍ଟେସନ୍ ପାଖରେ ନିଆଁ ଲାଗିଯାଇଥିଲା।

ଏହି ଘଟଣାରେ କେହି ଆହତ ହୋଇଥିବା କିମ୍ବା କୌଣସି ଜୀବନହାନି ଘଟିଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନାହିଁ। ପ୍ରାରମ୍ଭିକ ଖବରରୁ କିଛି ଯାତ୍ରୀ ଆହତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା। ତେବେ, ଉତ୍ତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଏହି ଖବରକୁ ଖଣ୍ଡନ କରିଛନ୍ତି ଏବଂ କୌଣସି ଜୀବନହାନି ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରେଳ ଅଧିକାରୀଙ୍କ ଅନୁଯାୟୀ, ସରାଇ ବଞ୍ଜାରା ଷ୍ଟେସନ୍ ନିକଟରେ ଟ୍ରେନର ସୁରକ୍ଷା ବ୍ୟବସ୍ଥା ସକ୍ରିୟ ହେବା ପରେ ଟ୍ରେନ୍ଟି ସୁରକ୍ଷିତ ଭାବେ ଅଟକି ଯାଇଥିଲା। ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସିପିଆରଓ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇଥିବା ନେଇ କୌଣସି ଖବର ମିଳିନାହିଁ।
