ଆନନ୍ଦପୁର: ଆନନ୍ଦପୁର ସହର ଉପକଣ୍ଠରେ ବନ୍ୟଜନ୍ତୁଙ୍କ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଶନିବାର ସକାଳେ ଆନନ୍ଦପୁର ମହାବିଦ୍ୟାଳୟ ପଛ ପାର୍ଶ୍ୱ କଦଳେଇ ବାଡ଼ିରେ ଏକ ଦନ୍ତା ହାତୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ଫକୀରପୁର ନାଥ ସାହିର ସ୍ୱର୍ଗତ ତ୍ରିଲୋଚନ ନାଥଙ୍କ ପତ୍ନୀ ମଞ୍ଜୁଲତା ନାଥ (୫୪) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଭୋର ସମୟରୁ କାଜଳେଇ ବାଡ଼ି ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ହାତୀଟି କାହାକୁ ଆକ୍ରମଣ କରିପାରେ ବୋଲି ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ସକାଳ ସମୟରେ ଯଶୋଦା ମଲିକ ନାମକ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ।

ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ, ହାତୀଟି ସେହି ସମୟରେ ନିକଟରେ ଥିବା ମଞ୍ଜୁଲତା ନାଥଙ୍କୁ ଟାର୍ଗେଟ କରିଥିଲା। ହାତୀଟି ମଞ୍ଜୁଲତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସକାଳ ସମୟରେ ହାତୀର ଉପଦ୍ରବ ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ମଞ୍ଜୁଲତା ସେହି ସମୟରେ ସେଠାରେ ଥିବା ଓ ଆକ୍ରମଣର ଶିକାର ହୋଇଥିବା ବିଷୟ କାହାକୁ ଜଣାପଡ଼ି ନଥିଲା। ମଧ୍ୟାହ୍ନ ବେଳକୁ ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ପରିବାର ଓ ପ୍ରଶାସନକୁ ଖବର ଦେଇଥିଲେ। ମୃତଦେହ ଚିହ୍ନଟ ହେବା ପରେ ନାଥ ସାହିରେ ଶୋକର ଛାୟା ଖେଳିଯାଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବନ ବିଭାଗ ଅଧିକାରୀ, ସ୍ଥାନୀୟ ଉପଜିଲ୍ଲାପାଳ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରିଥିଲେ । ତେବେ ଏଭଳି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
