ପୁରୀ: ବନ ବିଭାଗ ପକ୍ଷରୁ ଶୁକ୍ରବାର ବ୍ଲୁ ଫ୍ଲାଗ ବିଚ୍ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଡିଏଫ୍ଓ ଧନଜି ରାଓସ ମଗର, ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଓ ସମ୍ବିତ୍ ପଣ୍ଡା, ବନ ବିଶେଷଜ୍ଞ ଆକାଶ ରଞ୍ଜନ ରଥ, ପରିବେଶବିତ୍ ଯୁଗବ୍ରତ କର ପ୍ରମୁଖ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବୃକ୍ଷରୋପଣ ପାଇଁ ସଂକଳ୍ପ ନେବାର ସମୟ ଆସିଛି। ବର୍ଷ ବର୍ଷ ଧରି ବୃକ୍ଷ କଟା ହେବା ଯୋଗୁ ପରିବେଶ ନଷ୍ଟ ହେବାର ଲାଗିଛି। ପ୍ରଚଣ୍ଡ ରୌଦ୍ରତାପ ମଣିଷ ସମାଜକୁ କଲବଲ କଲାଣି। ଏଥିପ୍ରତି ପ୍ରତ୍ୟେକ ମଣିଷ ସଚେତନ ହେବା ଦରକାର। ପ୍ରକୃତି ଓ ପରିବେଶ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ ସାଙ୍ଗକୁ ଜଙ୍ଗଲ, ବେଳାଭୂମି ଓ ସମୁଦ୍ର କିପରି ସୁରକ୍ଷିତ ରହିବ ସେ ଦିଗରେ ଚେଷ୍ଟା କରିବା ଦରକାର। ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ନିଜର ସହଭାଗିତା ରଖିଥିବା ‘ନିର୍ମାଲ୍ୟ’ର ସମ୍ପାଦକ ଡ. ବିଶ୍ୱନାଥ ମିଶ୍ରଙ୍କୁ ପୁରୀ ସଦର ବ୍ଲକର ପ୍ରକୃତି ବନ୍ଧୁ ପୁରସ୍କାର ମିଳିଥିଲା। ଡ. ମିଶ୍ର କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୩ ବର୍ଷର ଅଧ୍ୟାପନା ସମୟରେ ବିଭିନ୍ନ ବୃକ୍ଷରୋପଣ, ପରିବେଶ ସୁରକ୍ଷା କାର୍ଯ୍ୟକର୍ମର ସଂଯୋଜକ ଭାବେ ଓ ଛାତ୍ର ଛାତ୍ରୀମାନଙ୍କୁ ପରିବେଶ ସମ୍ପର୍କରେ ସଚେତନ କରାଇ ବିଶ୍ୱବିଦ୍ୟାଳୟରୁ ପ୍ରଶଂସା ପାଇଛନ୍ତି। ଏହି ଅବସରରେ ସତ୍ୟବାଦୀ ବ୍ଲକରୁ ସୁଶାନ୍ତ କୁମାର ରଥ, ଡେଲାଙ୍ଗ ବ୍ଲକରୁ ସବ୍ୟସାଚୀ ସେନାପତି, କଣାସରୁ ହେମନ୍ତ କୁମାର ମହାରଥୀ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିଲେ।
