ବାରିପଦା: ଅନୁଗୁଳ ରୁ ଧରାହୋଇ ଆସିଥିବା ନରହନ୍ତା ହାତୀ ବର୍ତ୍ତମାନ ବାଙ୍ଗିରିପୋଷି ରେଞ୍ଜର ତାଳବନ୍ଧ ଠାରେ ରହିଛି । ଗତକାଲି କରଞ୍ଜିଆର ସାତକୋଶିଆ ଠାରେ ଲୋକେ ଏହି ହାତୀକୁ ଜଙ୍ଗଲରେ ଛାଡ଼ିବାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ସେଠାରୁ ହାତୀଟିକୁ ତାଳବନ୍ଧର କାନଛିଣ୍ଡା ଠାରେ ଥିବା ହାତୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇଛି । ଗତ କିଛିଦିନର ଅଶାନ୍ତ ବାତାବରଣ ସହିତ ଗତ ୩୬ ଘଣ୍ଟା ଧରି ଟ୍ରକରେ ବନ୍ଦୀ ଅବସ୍ଥାରେ ରହିଥିଲା ଉନ୍ମତ୍ତ ହାତୀ ଟି । ବର୍ତ୍ତମାନ ହାତୀଟିକୁ ଏକ ଶାନ୍ତ ପରିବେଶରେ ରଖି ତାର ମନସ୍ତାତ୍ତ୍ୱିକ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି । ଏସଟିଆରର ମୁଖ୍ୟ ନିର୍ଦ୍ଦେଶକ ହାତୀର ଦାୟିତ୍ୱ ନେଇଛନ୍ତି । ତେବେ ମଣିଷ ଜୀବନ ନେବାପରେ ହାତୀଟିକୁ ଲୋକେ ବିଭିନ୍ନ ସ୍ଥାନରୁ ଘଉଡ଼ାଇବା ସହିତ ବନ ବିଭାଗ ଟ୍ରାଙ୍କୁଲାଇଜ କରି ହାତୀଟିକୁ ଅଚେତ କରିଛି । ବର୍ତ୍ତମାନ ହାତୀଟି ମାନସିକ ସ୍ତରରେ ନିହାତି ଭାବରେ ସନ୍ତୁଳିତ ନଥିବ । ତେଣୁ ରାଜ୍ୟ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ହାତୀଟି ତାଳବନ୍ଧର କାନଛିଣ୍ଡା ହାତୀ ଚିକିତ୍ସା କେନ୍ଦ୍ରରେ ନିର୍ଜନ ଓ ଶାନ୍ତ ପରିବେଶରେ ମନସ୍ତାତ୍ତ୍ୱିକ ଚିକିତ୍ସାରେ ରହିବ ବୋଲି ସୂଚନା ଦେଇଛନ୍ତି ବାରିପଦା ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ।
