ବ୍ରହ୍ମଗିର: ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତା ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଛି। ୩ଟି ଗାଈ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।ଖବର ନେବାରେ ଜଣାପଡିଛି ଯେ ଆଜି ଭୋରୁ ବ୍ରହ୍ମଗିରି ପଞ୍ଚାୟତ ସାନବନ୍ଧକେରା ଗାଁର ଛଇଲ ନାୟକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଭୋରୁ ଭୋରୁ ପରିବାର ଲୋକେ ଶୋଇ ଥିବା ବେଳେ ଘରର ଗୁହାଳ ଘର ପଟୁ ନିଆଁ ଉଠିଥିଲା। ଏହି ସମୟରେ ସାଇକେଲରେ ଯାଉଥିବା ଜଣେ ପଡୋଶୀ ଗାଁ ଲୋକ ଡାକ ପକାଇ ଥିଲା। ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ତୁରନ୍ତ ଏନେଇ ବ୍ରହ୍ମଗିରି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁରେ ସବୁ କିଛି ପୋଡ଼ି ଛାରଖାର ହୋଇ ଯାଇଥିଲା । ଗାଁ ଲୋକେ ଓ ଅଗ୍ନିଶମ ବାହିନୀ ମିଳିତ ଭାବରେ ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଗୁହାଳ ଘର ଭିତରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା। ଅନ୍ୟ ୩ଟି ଗାଈ ବେକରୁ ପଘା ଛିଣ୍ଡାଇ ବାହାରକୁ ପଳାଇଥିଲେ। ଘରେ ଥିବା ସମସ୍ତ ଆସବାସପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯିବା ସହିତ ଘରେ ରଖିଥିବା ଧାନ, ଚାଉଳ ସବୁ ପୋଡି ଯାଇଛି। ୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ସକାଳୁ ବ୍ରହ୍ମଗିରି ତହସିଲଦାର ଦେବାଶିଷ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ ମାଧବ ଚନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳକୁ ଆସି ତଦନ୍ତ କରି ଫେରିଛନ୍ତି । ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି କ୍ଷତିପୂରଣ ପାଇଁ ଜିଲ୍ଲାପାଳକୁ ଚିଠି ଲେଖା ଯାଇଥିବା ତହସିଲଦାର ଶ୍ରୀ ସେଠୀ କହିଛନ୍ତି। ଖବର ପାଇ ବ୍ରହ୍ମଗିରି ପ୍ରାଣୀ ଚିକିତ୍ସକଙ୍କ ସହିତ ଦୁଇ ଜଣିଆ ଡାକ୍ତରୀ ଟିମ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ତୁରନ୍ତ ସରକାରୀ ସାହାଯ୍ୟ ଦେବାକୁ ସାଧାରଣରେ ଦାବି ହୋଇଛି । ଗୁହାଳ ଘରେ ଲାଗିଥିବା ମଶାଧୂଆଁରୁ ଅଗ୍ନିକାଣ୍ଡ ଘଟିଥିବା ଦମକଳ ବାହିନୀ ଅନୁମାନ କରିଛି।
