ଖପ୍ରାଖୋଲ: ଲାଠୋର ଥାନା ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଲାଠୋର ଥାନାଧିକାରୀ ଅଭିନାଶ ପଧାନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ରିଜର୍ଭ ଫରେଷ୍ଟ ମଧ୍ୟରେ କିଛି ବ୍ୟକ୍ତି ଟଙ୍କା ଲଗାଇ ତାସ ଜୁଆ ଖେଳୁଛନ୍ତି। ଖବର ପାଇବା ପରେ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ତୁରନ୍ତ ଘଟଣାସ୍ଥଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜୁଆ ଖେଳୁଥିବା ୪ ଜଣଙ୍କୁ ପୋଲିସ କାବୁ କରିଥିଲା। ଗିରଫ ବ୍ୟକ୍ତିମାନେ ହେଲେ ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ଡୁମେରପଡ଼ା ଗ୍ରାମର ବିହାରୀ ପରାଭୁଏ (୪୦) ଏବଂ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ସରେଇବାହାଲ ଗ୍ରାମର ବିଶ୍ୱଜିତ ପଧାନ (୩୩), ଝସକେତନ ପାଣ୍ଡେ (୪୦) ଓ ମନବୋଧ ମାଝୀ (୪୦)। ସେମାନଙ୍କ ନିକଟରୁ ୫,୧୦୦ ଟଙ୍କା ନଗଦ, ଏକ ଗାମୁଛା ଏବଂ ଦୁଇ ସେଟ୍ ତାସ ଜବତ କରାଯାଇଛି। ଏହି ଘଟଣାରେ ଲାଠୋର ଥାନା କେସ୍ ନଂ-୧୦୨/୨୦୨୬ ରେ ଓପିଜି ଆକ୍ଟର ଧାରା-୩ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
