ଖପ୍ରାଖୋଲ: ଗୁରୁବାର ଅପରାହ୍ନରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ପଡ଼ିଆବାହାଲ ପଞ୍ଚାୟତର ପାଚେର ଗ୍ରାମରେ ଘଟିଥିବା ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ବଜ୍ରାଘାତରେ ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାଚେର ଗ୍ରାମର ବିନୋଦିନୀ ବରିହା (୨୬) ଘର ବାରି ପାର୍ଶ୍ୱକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ହଠାତ୍ ଘଡ଼ଘଡ଼ି ସହ ପ୍ରବଳ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସେ ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି। ଏନେଇ ଖପ୍ରାଖୋଲ ଥାନାରେ ୟୁଡି କେସ୍ ନଂ–୦୫/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କେସ୍?ର ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର କୁମ୍ଭାର ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି। ବିନୋଦିନୀଙ୍କ ଅକାଳ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବାବେଳେ, ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
