ବାରିପଦା: ପର୍ଯ୍ୟଟକ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଶିମିଳିପାଳ ଅଭୟାରଣ୍ୟରେ ବଢ଼ିଛି ମହାବଳ ବାଘଙ୍କ ବଂଶ। ମହାରାଷ୍ଟ୍ରର ତାଡୋବା ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ୪ଟି ସୁସ୍ଥ ବାଘ ଶାବକଙ୍କୁ ଜନ୍ମ ଦେଇଛି। ବାଘୁଣୀ ତାର ଶାବକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ବେଳର ଦୃଶ୍ୟ ବନ ବିଭାଗର ଇଓ କ୍ୟାମେରାରେ କଏଦ୍ ହୋଇଛି। ଏହି ଘଟଣା ଶିମିଳିପାଳରେ ବାଘ ସଂରକ୍ଷଣ ଅଭିଯାନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରର ତାଡୋବା ଟାଇଗର ରିଜର୍ଭରୁ ଦୁଇଟି ବାଘୁଣୀ ‘ଯମୁନା’ ଓ ‘ଜିନ୍ନତ’କୁ ଅଣାଯାଇଥିଲା। ୨୦୨୪ ମସିହା ଅକ୍ଟୋବର ମାସରେ ଯମୁନା ଏବଂ ନଭେମ୍ବର ମାସରେ ଜିନ୍ନତକୁ ଶିମିଳିପାଳ ଜଙ୍ଗଲରେ ଛଡ଼ାଯାଇଥିଲା।

ସେତେବେଳେ ଏହି ଦୁଇ ବାଘୁଣୀ ଶିମିଳିପାଳର ପରିବେଶ ସହ ଖାପ ଖୁଆଇପାରିବେ କି ନାହିଁ, ତାହାକୁ ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ହୋଇଥିଲା। ହେଲେ ବର୍ତ୍ତମାନ ବାଘୁଣୀ ଜିନ୍ନତ ୪ଟି ଶାବକଙ୍କୁ ଜନ୍ମ ଦେଇ ସେହି ସବୁ ଆଶଙ୍କାକୁ ଦୂର କରିଦେଇଛି। ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଇଓ କ୍ୟାମେରାରେ ଜିନ୍ନତ ତାର ୪ଟି ଶାବକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ଦୃଶ୍ୟ ରେକର୍ଡ ହୋଇଛି। ଏହି ଦୃଶ୍ୟ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏକ ସକାରାତ୍ମକ ସଙ୍କେତ ଭାବେ ଗ୍ରହଣ କରାଯାଉଛି। ଜିନ୍ନତର ଏହି ସଫଳ ମାତୃତ୍ୱ, ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ନୂଆ ଆଶା ସୃଷ୍ଟି କରିଛି। ଆଗାମୀ ଦିନରେ ବାଘ ବଂଶ ଅଧିକ ବୃଦ୍ଧି ପାଇବା ସହ ପର୍ଯ୍ୟଟକମାନେ ମଧ୍ୟ ଶିମିଳିପାଳରେ ବାଘ ଦେଖିବାର ସୁଯୋଗ ଅଧିକ ପାଇବେ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞ ଓ ପରିବେଷବିତ ମହଳରେ ଆଶା ପ୍ରକାଶ ପାଇଛି।
