ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କରେ ଡ୍ୟୁଟି କରୁଥିବା ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜଣକ ହେଲେ ଗୋପ ଥାନା ଅନ୍ତର୍ଗତ ନୟାହାଟ ଗ୍ରାମର ବିରଞ୍ଚି ନାରାୟଣ ବିଶ୍ୱାଳ (୫୦)। ସେ ସେହି ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କରେ ଲାବୋରେଟରି ଟେକନିସିଆନ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ। ଆଜି ସକାଳୁ ବ୍ଲଡ଼ ବ୍ୟାଙ୍କରେ ସେ ନିଜ କାମରେ ବ୍ୟସ୍ତ ଥିଲେ। ଅସୁସ୍ଥ ଥିବା ଯୋଗୁଁ ହଟାତ ମୁଣ୍ଡ ବୁଲାଇ ସେ ତଳେ ପଡିଯାଇଥିଲେ। ସହକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଘଟଣା ପରେ ସଦର ମୁଖ୍ୟ ଚିକିତ୍ସାଳୟର ପ୍ରତିଛବି ଉପରେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି କେବଳ “ରେଫର ହସ୍ପିଟାଲ” ପାଲଟି ଯାଇଛି। ଗୁରୁତର ରୋଗୀ ଆସିଲେ ତୁରନ୍ତ ଭୁବନେଶ୍ୱର କିମ୍ବା କଟକ ସ୍ଥାନାନ୍ତର କରାଯାଉଛି। ଫଳରେ ତୁରନ୍ତ ଆବଶ୍ୟକ ଚିକିତ୍ସା ମିଳିପାରୁନାହିଁ। ଡ୍ୟୁଟିରେ ଥିବା ନିଜ କର୍ମଚାରୀଙ୍କ ପାଇଁ ମଧ୍ୟ ହସ୍ପିଟାଲ ଭିତରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ନଥିବାରୁ ବିରଞ୍ଚିଙ୍କ ଜୀବନ ବଞ୍ଚିପାରିନଥିଲା ବୋଲି ସହକର୍ମୀ ଓ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିରଞ୍ଚି ନାରାୟଣ ବିଶ୍ୱାଳ ଜଣେ ମିଷ୍ଟଭାଷୀ ଓ କର୍ମଠ କର୍ମଚାରୀ ଭାବେ ପରିଚିତ ଥିଲେ। ବ୍ଲଡ଼ ବ୍ୟାଙ୍କରେ ତାଙ୍କର ଦକ୍ଷତା ଓ ସେବା ପାଇଁ ସମସ୍ତେ ତାଙ୍କୁ ଭଲ ପାଉଥିଲେ। ତାଙ୍କର ଅକସ୍ମାତ ମୃତ୍ୟୁରେ ପରିବାରବର୍ଗ ସମେତ ସମଗ୍ର ହସ୍ପିଟାଲ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି।
