ନୂଆଦିଲ୍ଲୀ: ନଭେମ୍ବର ୧ ତାରିଖରୁ ବିଭିନ୍ନ ପ୍ରମୁଖ ସହରରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୦ ରୁ ୧୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦୀୱାଲୀ ପୂର୍ବରୁ ହୋଟେଲ, ରେସ୍ତୋରାଁ, ଢାବା ଏବଂ କ୍ୟାଟରିଂ ବ୍ୟବସାୟ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଏହା ଏକ ଆର୍ôଥକ ଝଟକା ସଦୃଶ ହୋଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇ ୨,୮୨୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ସମାନ ଭାବେ ମୂଲ୍ୟ ବୃଦ୍ଧି ପାଇବା ପରେ ଏହାର ଦାମ୍ ୨,୭୭୪.୫୦ ଟଙ୍କା ହୋଇଛି। କୋଲକାତାରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ପାଇଥିବାରୁ ଏଠାରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨,୯୬୪ ଟଙ୍କା ହୋଇଛି। ଚେନ୍ନାଇରେ ୧୧.୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ନୂତନ ମୂଲ୍ୟ ୨,୯୯୪.୫୦ ଟଙ୍କା ରହିଛି। ବେଙ୍ଗାଲୁରୁରେ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ୧୦ ଟଙ୍କା ବୃଦ୍ଧି ପାଇ ୨,୯୦୮ ଟଙ୍କାରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧି ଯୋଗୁଁ ବ୍ୟବସାୟିକ ଏଲ୍ପିଜି ସିଲିଣ୍ଡର ଉପରେ ନିର୍ଭର କରୁଥିବା ବ୍ୟବସାୟଗୁଡ଼ିକର, ବିଶେଷକରି ହୋଟେଲ, ରେସ୍ତୋରାଁ, ରାସ୍ତାକଡ଼ ଖାଦ୍ୟ ଦୋକାନ ଏବଂ କ୍ୟାଟରିଂ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକର ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଯେଉଁଠାରେ ବ୍ୟବସାୟିକ ଏଲ୍ପିଜି ଗ୍ରାହକମାନଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ, ସେଠାରେ ଘରୋଇ ଉପଭୋକ୍ତାମାନଙ୍କ ପାଇଁ ଆଶ୍ୱସ୍ତିର ଖବର ରହିଛି। ନଭେମ୍ବର ୧ ତାରିଖରୁ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
