ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୬ ତାରିଖ । ଏଥିପାଇଁ ବଡଦାଣ୍ଡ ରାଜା ନଅର ସମ୍ମୁଖ ରଥଖଳାରେ ଆଗେଇ ଚାଲିଛି ତିନିରଥ ନିର୍ମାଣ । ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ସୋମବାର ରଥ ନିର୍ମାଣର ୪୨ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ରବିବାର ତିନିରଥ ର ଦଣ୍ଡା ଫ୍ରେମ୍ ଖୋଲା ଯିବା ପୂର୍ବରୁ ଫ୍ରେମ୍ ର ବିଭିନ୍ନ ଅଂଶ ଗୁଡ଼ିକର ନମ୍ବରିଙ୍ଗ କାର୍ଯ୍ୟ ଶେଷ ହୋଇ ଦଣ୍ଡାର ସଂଯୁକ୍ତ ଅଂଶ ଗୁଡ଼ିକର କଳଶା କାର୍ଯ୍ୟ ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଥିଲା । ତିନିରଥର ସମସ୍ତ ଚକ – ଅଖ ସଂଯୋଗ ଶେଷ ହୋଇଛି। ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକ ମାନଙ୍କ ସହାୟତାରେ ଚକ – ଅଖ ସଂଯୋଗ ସମ୍ପୂର୍ଣ୍ଣ ହୋଇଅଛି। ଆଜି ତିନିରଥର ଚକ ଥାକ ସହ ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଛି ।

ଆବଶ୍ୟକ ଅନୁଯାୟୀ ଅଖ ସଂଶୋଧନ କାର୍ଯ୍ୟ ସହ ଚକ ଆଗକୁ ନଗଡି ଯିବା ପାଇଁ ଚକ ଦୁଇ ପାର୍ଶ୍ୱରେ ବାନ୍ଧ ଲାଗି କରାଯାଇଥିଲା ।ଏଥିସହ ତାଳଧ୍ୱଜ ରଥ ଏବଂ ନନ୍ଦି ଘୋଷ ରଥର ୧୨ ଟି ଲେଖାଏଁ ଗୟଳ ରୁ ୫ ଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି।ଦର୍ପଦଳନ ରଥର ୮ ଗୋଟି ଗୟଳ ମଧ୍ୟରୁ ଦୁଇଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହେବା ସହ ଆଉ ଦୁଇଗୋଟି ଗୟଳର ଚଉପଟ କାର୍ଯ୍ୟ ଜାରୀ ରହିଛି।ଏଥିସହ ମହାରଣା ସେବକ ମାନେ ତିନିରଥର ଦଣ୍ଡା ଅଂଶ ଗୁଡ଼ିକର କଳଶା କାର୍ଯ୍ୟ ଜାରୀ ରଖିଛନ୍ତି।ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ କୁମ୍ଭ, ଡାଳି ଲତା ଚିତ୍ର ଖୋଦେଇ ସହ ଆଜି ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଚିତ୍ର ଅଙ୍କନ ପରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ତିନି ରଥର ଓଝା କମାର ସେବକ ମାନେ ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନିରଥ ର ପୋଟଳ ପାଇଁ ଜଙ୍ଘା କଣ୍ଟା ସହ ନଦା ବାଗିଆ କଣ୍ଟା ସେବନ ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି ।ତିନିରଥର ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ କରତୀ ସେବକ ୪ଜଣ ,ରୂପକାର ସେବକ ୨୧ଜଣ , ଓଝା କମାର ସେବକ ୨୦ଜଣ ,ତୁମ୍ବ ବିନ୍ଧ କାରିଗର ୨ଜଣ ,ପାହି ମହାରଣା ୨ ଜଣ,ରଥଖଳା ସହାୟକ ୧ ଜଣ ମୋଟ ୨୦୫ ଜଣ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ଯରେ ନିମଗ୍ନ ରହିଛନ୍ତି ।
