ଆସିକା: ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଆସିକା ସହରରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶାରୁ ସହରବାସୀଙ୍କୁ ଆଶ୍ୱସ୍ତି ଦେବା ସହ ସ୍ୱାଭାବିକ ଜନଜୀବନ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ନିଜେ ଆସିକା ସହରର ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ତାଙ୍କ ନେତୃତ୍ୱରେ ଗତ ଦୁଇ ଦିନ ଧରି ସହରର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ମହମବତୀ ଓ ଦିଆସିଲି ବଣ୍ଟନ କରିଥିଲେ । ଏଥିସହ ବନ୍ୟା ପ୍ରଭାବିତ ପରିବାର ଗୁଡ଼ିକର ସମସ୍ୟା, ଆବଶ୍ୟକତା ଓ ସୁବିଧା ଅସୁବିଧା ସମ୍ପର୍କରେ ସିଧାସଳଖ ପଚାରି ବୁଝୁଛନ୍ତି।

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ରିଲିଫ୍ କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବେ ଜାରି ରଖାଯାଇଛି। ପ୍ରଶାସନର ସମନ୍ୱିତ ପ୍ରୟାସ ଯୋଗୁଁ ଆସିକାର ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ସିଡିଓ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ସହରରେ ସମ୍ପୂର୍ଣ୍ଣ ସ୍ୱାଭାବିକ ସ୍ଥିତି ଫେରି ନଆସିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କ ସେବା ଓ ରିଲିଫ୍ କାର୍ଯ୍ୟରେ ପ୍ରଶାସନ ନିୟୋଜିତ ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ବିପତ୍ତି ସମୟରେ ପ୍ରଶାସନର ଏହି ଘରକୁ ଘର ପହଞ୍ଚି ସହାୟତା ପ୍ରଦାନ ଉଦ୍ୟମ ବନ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି ଦେଇଛି।
