ବାରିପଦା ; ପ୍ରକୃତି ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଆଜି ୧ ତାରିଖ ଦିନ ଶିମିଳିପାଳ ଖୋଲିଛି । ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଙ୍ଗଖୁଣ୍ଟିଆ ପର୍ଯ୍ୟଟକ ମାନଙ୍କ ପାଇଁ ଏହାକୁ ଫିତା କାଟି ଉଦଘାଟନ କରିଛନ୍ତି ଯଶିପୁର କାଳିଆଣୀ ପ୍ରବେଶ ପଥ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ତନଖି ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ । ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବା ବାଧ୍ୟତାମୂଳକ କରାଯାଇଛି । ଶିମିଳିପାଳ ଭ୍ରମଣ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ। ବନ୍ୟପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ କେବଳ ଙ୍ଗଙ୍ଗଙ୍ଗ.ଗ୍ଦସଜ୍ଞସକ୍ଷସକ୍ଟ୍ରବକ୍ଷ.କ୍ଟକ୍ସଶ ୱେବସାଇଟ୍ ମାଧ୍ୟମରେ ଏଣ୍ଟ୍ରି ପରମିଟ୍ ମିଳିବ। ପ୍ରତ୍ୟେକ ଗାଡ଼ି ସହ ଜଣେ ଗାଇଡ୍ ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ସେହିପରି ଶିମିଳିପାଳର ପ୍ରମୁଖ ଆକର୍ଷଣ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ବାହାରିବାକୁ ପଡ଼ିବ। ଅନ୍ୟପକ୍ଷରେ ଶିମିଳିପାଳର ଜଙ୍ଗଲୀ ପରିବେଶକୁ ନିକଟରୁ ଅନୁଭବ କରିବା ପାଇଁ ବିଭାଗ ପକ୍ଷରୁ ଖୋଲା ଜିପ୍ ୱାଇଲ୍ଡଲାଇଫ୍ ସଫାରି ଭ୍ରମଣ ସହ ରାତ୍ରିଯାପନର ସୁବିଧା ମଧ୍ୟ ରହିଛି। କୁମାରୀ, ଗୁଡ଼ଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିଠାରେ କଟେଜ ଗୁଡିକରେ ରାତ୍ରିଯାପନ ପାଇଁ ଙ୍ଗଙ୍ଗଙ୍ଗ.ରମକ୍ଟଗ୍ଧକ୍ଟଙ୍କକ୍ସକ୍ଟୟସଗ୍ଦଷବ.ମକ୍ଟଜ୍ଞ ୱେବସାଇଟ୍ ମାଧ୍ୟମରେ ଆଗୁଆ ବୁକିଂ କରିବାକୁ ହେବ । ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି କର୍ତୃପକ୍ଷ । ଶିମିଳିପାଳର ଜୈବବିବିଧତା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିୟମାବଳୀ ପ୍ରଣୟନ କରାଯାଇଛି। ଏନେଇ ଶିମିଳିପାଳ କର୍ତ୍ତୃପକ୍ଷ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ବାରିପଦାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଶିମିଳିପାଳର ସୁରକ୍ଷା ପାଇଁ ପର୍ଯ୍ୟଟକଙ୍କୁ ନିୟମାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।
ଅନ୍ୟପଟେ ଆଜି ପ୍ରଥମ ଦିନରେ ଶିମିଳିପାଳ ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନଙ୍କ ମହଲରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । କଳାବାଘ ସହ ଅନ୍ୟ ଜଙ୍ଗଲୀ ଜୀବ ଓ ମନୋରମ ଜଳପ୍ରପାତ ଦେଖିବାକୁ ନେଇ ପର୍ଯ୍ୟଟକ ଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।
