ପୁରୀ: ଭବ୍ୟ ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଠାରେ ବିଭିନ୍ନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମରେ ଫ୍ଲେମ୍ଲେସ୍ କୁକିଂ (ବିନା ନିଆଁରେ ରୋଷେଇ), “ଭବ୍ୟ ନାରୀ’ ଓ “ଭବ୍ୟ କୁଇନ୍’ ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ପାଲଟିଥିଲା। ବିଭିନ୍ନ ବର୍ଗର ମହିଳାମାନେ ଏଥିରେ ଭାଗନେଇ ନିଜର ସୃଜନଶୀଳତା, ଦକ୍ଷତା ଓ ଆତ୍ମବିଶ୍ୱାସର ପରିଚୟ ଦେଇଥିଲେ।ଏହି ଅବସରରେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ” ‘ମାଷ୍ଟରସେଫ୍’ର ଫାଇନାଲିଷ୍ଟ ଅଞ୍ଜୁ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ।

ସେ ପ୍ରତିଯୋଗିତା ଗୁଡ଼ିକର ଆୟୋଜନକୁ ପ୍ରଶଂସା କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।ଫାଉଣ୍ଡେସନର ସଭାପତି ସୁପ୍ରୀତି ଶୁକ୍ଳାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର ସମସ୍ତ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏଥିରେ ସୁକାନ୍ତ କୁମାର ପଟ୍ଟନାୟକ, ଜିତେନ୍ଦ୍ର ମୁଦୁଲି, ଅମିତ ଚାଟାର୍ଜୀ ଓ ରଞ୍ଜିତ ସିଂ ପ୍ରମୁଖ ସହଯୋଗ କରିଥିଲେ।ମହିଳାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରୋତ୍ସାହନ ଓ ଆତ୍ମନିର୍ଭରଶୀଳତାର ବାର୍ତ୍ତା ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ମହିଳାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ଆୟୋଜନକୁ ସଫଳ କରିଥିଲା।
