ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବା ସମୟରେ ଅସୁସ୍ଥ ହୋଇପଡ଼ିଲେ ଢେଙ୍କାନାଳ ଜିଲ୍ଲାର ଦେବରାଜ ସାହୁ। ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଦେବରାଜ ନିଜ ବନ୍ଧୁବାନ୍ଧବଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ନିମନ୍ତେ ବ୍ୟାରିକେଡ୍ ବାହାରେ ଅପେକ୍ଷା କରିଥିବାବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିବା ମୃତକଙ୍କ ଭାଣେଜୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ମୃତକଙ୍କ ପରିବାରବର୍ଗଙ୍କ ସହ ଆଲୋଚନା ଏବଂ ଚିକିତ୍ସା ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚରୁ ସେ ଗତ ତିନି ବର୍ଷ ଧରି ହୃଦ୍?ରୋଗଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଥିପାଇଁ ସେ ଚିକିତ୍ସାଧୀନ ଥିଲେ ବୋଲି ମୃତକଙ୍କ ଭାଇ କହିଛନ୍ତି।
