ଆସିକା: ବନ୍ୟା ବିପତ୍ତି ମଣିଷ ଜୀବନକୁ କେତେ ଅସହାୟ କରିଦିଏ, ତାହାର ଏକ ହୃଦୟବିଦାରକ ଚିତ୍ର ଆସିକାରେ ଦେଖିବାକୁ ମିଳିଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିକା ସହର ଓ ଆଖପାଖ ଅଞ୍ଚଳ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁବରଣ କରିଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଦୁଇ ଦିନ ପରେ ନିଜ ଗାଁରେ ପହଞ୍ଚିଥିଲା। ରାସ୍ତାରେ ବନ୍ୟାଜଳ ଭରି ରହିଥିବାରୁ ପରିବାର ଲୋକେ କାନ୍ଧରେ ବୋହି ଜଳବନ୍ଦୀ ଅଞ୍ଚଳ ଅତିକ୍ରମ କରି ମୃତଦେହକୁ ଗାଁକୁ ନେଇଥିଲେ। ସୂଚନା ଅନୁଯାୟୀ, ଆସିକା ବ୍ଲକ ଅନ୍ତର୍ଗତ ସିଦ୍ଧନଈ ପଞ୍ଚାୟତର ମହାରାଜାପୁର ଗ୍ରାମର ଜଣେ ପ୍ରାୟ ୬୦ ବର୍ଷୀୟ ବୃଦ୍ଧାଙ୍କର ହୃଦଘାତରେ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ହୋଇଥିଲା।

ତେବେ ଏହି ସମୟରେ ଆସିକା ଅଞ୍ଚଳରେ ପ୍ରବଳ ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା। ଫଳରେ ମୃତଦେହକୁ ଗାଁକୁ ନେବା ସମ୍ଭବ ହୋଇପାରି ନଥିଲା। ଦୁଇ ଦିନ ଧରି ମୃତଦେହ ଗାଁରେ ପହଞ୍ଚି ପାରି ନଥିବା ବେଳେ ପରିସ୍ଥିତି ସୁଧୁରିବା ପରେ ପରିବାର ଲୋକେ ଏହାକୁ କାନ୍ଧରେ ବୋହି ବନ୍ୟାଜଳ ମଧ୍ୟରେ ଅତିକ୍ରମ କରି ମହାରାଜାପୁର ଗ୍ରାମକୁ ନେଇଥିଲେ। ମୃତ ବୃଦ୍ଧାଙ୍କ ପ୍ରକୃତ ନାମ ଜଣାପଡ଼ି ନଥିବା ବେଳେ ତାଙ୍କ ଡାକ ନାମ ଜାଡ଼ି ବୋଲି ଜଣାପଡ଼ିଛି। ବନ୍ୟା ଯୋଗୁଁ ଜଣେ ମୃତ ବ୍ୟକ୍ତିଙ୍କ ଶେଷଯାତ୍ରା ମଧ୍ୟ ବାଧାପ୍ରାପ୍ତ ହେବା ଘଟଣା ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଳବନ୍ଦୀ ଅଞ୍ଚଳରେ ଜରୁରୀକାଳୀନ ଯୋଗାଯୋଗ ଓ ମୃତଦେହ ପରିବହନ ବ୍ୟବସ୍ଥାର ଆବଶ୍ୟକତାକୁ ଏହି ଘଟଣା ପୁଣିଥରେ ସାମ୍ନାକୁ ଆଣିଛି।
