ବାରିପଦା; ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫ କୁଇଣ୍ଟାଲ ମହୁଲ ଫୁଲ ବୋଝେଇ ଏକ ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟକୁ ପଠାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଠାକୁରମୁଣ୍ଡା-ମହୁଲଡିହା ରାସ୍ତାରେ ଚଢ଼ାଉ କରିଥିଲା। ଠାକୁରମୁଣ୍ଡା-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ମହୁଲଡିହା ନିକଟରେ ମହୁଲ ଫୁଲ ବୋଝେଇ କରି ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୫ କୁଇଣ୍ଟାଲ ମହୁଲ ଫୁଲ ମିଳିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ ମହୁଲ ଫୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ (ନଂ- ଙଊ-୦୯ ଇଉ-୦୪୫୮)କୁ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଗାଡ଼ିର ଚାଳକଙ୍କ ସମେତ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଅଟକ ଦୁଇ ଜଣ ହେଲେ ଠାକୁରମୁଣ୍ଡା ଅଞ୍ଚଳର ଟୁନୁ ଗିରି (୩୫) ଏବଂ ପାର୍ଥ ପେରେଇ। ଏହି ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୪୩୯/୨୬-୨୭ ମୂଳେ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ ସମୟରେ ଉଭୟଙ୍କୁ ଠାକୁରମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବା ପରେ ଦୁଇ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟକୁ ପଠାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗର ଏଏସ୍ଆଇ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅବକାରୀ ବିଭାଗର ଯୁଗ୍ମ କମିଶନର ଡମ୍ବୁରୁଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏବଂ ବିକାଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ମହୁଲ ଫୁଲ ବୋଝେଇ ଗାଡ଼ି ଜବତ ଓ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ମହୁଲ ଫୁଲ ପରିବହନ ସମ୍ପର୍କିତ ନିୟମ ଉଲ୍ଲଂଘନର କେଉଁ ଦିଗକୁ ନେଇ ମାମଲା ରୁଜୁ ହୋଇଛି, ସେ ସମ୍ପର୍କରେ ଅଧିକ ତଥ୍ୟ ବିଭାଗୀୟ ତଦନ୍ତରୁ ସ୍ପଷ୍ଟ ହେବ ।
