ନୀଳଗିରି: ନୀଳଗିରିସ୍ଥ କୁଳଡ଼ିହା ବନବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ମାଲଖାନା(ଗୋଦାମ ଗୃହ)ରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯.୧୦ମିନିଟ୍ ସମୟରେ ଏକ ପ୍ରଚଣ୍ଡଶବ୍ଦକରି ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ଅଗ୍ନିଶମବିଭାଗକୁ ଖବର ଦେବାପରେ ନୀଳଗିରି ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମବିଭାଗର ପ୍ରାଥମିକ ତଦନ୍ତ ଅନୁଯାୟୀ ଗୋଦାମଗୃହରେ ଏକ ମଟରସାଇକେଲର ବ୍ୟାଟେରୀର ସର୍ଟସର୍କିଟ ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଇଛି। ଏହି ଅଗ୍ନିକାଣ୍ଡରେ ୨ଟି ଜବତ ମଟରସାଇକେଲ, ଗୋଟିଏ ତାର୍ପଲିନ୍ ଏବଂ ଗୋଟିଏ ପୁରୁଣା ଟାୟାର ଜଳିଯାଇଥିବା ବିଭାଗୀୟ ପ୍ରେସବିଜ୍ଞପ୍ତିରେ କୁହାଯାଇଛି।

ଏହି ମାଲଖାନାରେ ଶିକାରୀଙ୍କ ଠାରୁ ଜବତ ବିସ୍ଫୋରକ ଠାରୁ ଆରମ୍ଭକରି ବନ୍ଧୁକ, ମଟରସାଇକେଲ, ଅନ୍ୟାନ୍ୟ ବହୁ ଶିକାର ସରଞ୍ଜାମ ରହିଥିବା ବେଳେ ଅଳ୍ପକେ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛି। ତେବେ ଗୋଦାମଭିତରେ ନିଆଁଲାଗିବା ପଛରେ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ନଷ୍ଟ କରିବାକୁ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି। ତେବେ ଡ଼ିଏଫଓ ଓ ଅଗ୍ନିଶମବିଭାଗର କଥାରେ ତାଲମେଳ ରହିନଥିବାରୁ ଏଥିରେ ସନ୍ଦେହ ଦେଖାଦେଇଛି। ବିଭାଗୀୟ ପ୍ରେସବାର୍ତ୍ତା ଠାରୁ ଅଧିକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ଅଧିକ ତଦନ୍ତ ଜାରିରହିଥିବା ଏସିଏଫ୍ଓ ମାଣିକେଶ୍ୱରୀ ହାଂସଦା ପ୍ରକାଶ କରିଛନ୍ତି।
