ବାରିପଦା ; ମୟୂରଭଞ୍ଜ ଜିଲ୍ଲା,ଜାମଦା ବ୍ଲକ, ବସନ୍ତପୁର ଗ୍ରାମରେ ଜଣେ ଚାରି ବର୍ଷର ନାବାଳିକା ଶିଶୁ କନ୍ୟା ପ୍ରତି ଘଟିଥିବା ଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉଦବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କୁ ସୁରକ୍ଷା ତଥା ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ରାଇରଙ୍ଗପୁର ଶାଖା ପକ୍ଷରୁ ବାମନଘାଟି ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବୀପତ୍ରରେ ପୋଲିସ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏକ ନିରପେକ୍ଷ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରାଯିବା, ପୀଡ଼ିତା ଶିଶୁ ଏବଂ ତାଙ୍କ ପରିବାରର ସୁରକ୍ଷା ଓ ଗୋପନୀୟତା ସୁନିଶ୍ଚିତ କରିବା ସହ ଉପଯୁକ୍ତ ଚିକିତ୍ସା ସୁବିଧା ଏବଂ ମାନସିକ ସହାୟତା ଯୋଗାଇ ଦେବା, ଆଇନ ଅନୁଯାୟୀ ପୀଡ଼ିତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯାଇ ତାଙ୍କ ପରିବାରକୁ ଯେକୌଣସି ପ୍ରକାର ଚାପ କିମ୍ବା ସାମାଜିକ ଲଜ୍ଜାରୁ ସୁରକ୍ଷା ଦିଆଯିବା, ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ସମେତ ଭାରତୀୟ ଆଇନର କଠୋର ଧାରା ଅନୁଯାୟୀ ଦଣ୍ଡବିଧାନ କରାଯିବାକୁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଇପସିତ କୁମାର ମହାନ୍ତ, ମନୀଷା ପୂର୍ତ୍ତି, ତନ୍ମୟ ଗିରି, ଦୀପକ କୁମାର ମାଝୀ, ଛବିନା ଗିରି, ଚନ୍ଦନ କୁମାର ସିଙ୍କୁ, ମୌସୁମୀ ଚମ୍ପା ଟୁଡୁ, ଲକ୍ଷ୍ମୀ ନାୟକ, ତ୍ରିଶା ରାମ, ଖୁସି ଗିରି, ଧନଞ୍ଜୟ ଦଳେଇ, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
