କଳାହାଣ୍ଡି: ଦୁଇ କଲରା ପତରିଆ ବାଘ ଛାଲ-ଜୀବନ୍ତ ବରାହ ସହ ୭ ଶିକାରୀ ଗିରଫ କରିଛି ଦକ୍ଷିଣ ବନ ଖଣ୍ଡ ବିଭାଗ ।ଏହି ଘଟଣା ରେ ସଫଳତା ପାଇଛି ଦକ୍ଷିଣ ବନ ଖଣ୍ଡ ବିଭାଗ ।ପ୍ରକୃତିର ଅମୂଲ୍ୟ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା -ଆଜି ମଣିଷର ଲୋଭ ଓ ଲାଭଖୋର ମନୋବୃତ୍ତା ଯୋଗୁଁ ଗୁରୁତର ସଙ୍କଟରେ ପଡ଼ିଛି। ବନ୍ୟପ୍ରାଣୀଙ୍କ ଜୀବନକୁ ବାଜିରେ ଲଗାଇ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗର ଚୋରା କାରବାର କରୁଥିବା ଏକ ଶିକାରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରି କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ବନ ବିଭାଗ ଏକ ବଡ଼ ସଫଳତା ହାସଲ କରିଛି। କଳାହାଣ୍ଡି ଜ଼ିଲ୍ଲା ଥୁଆମୂଲ ରାମପୁର ବନାଞ୍ଚଳ ଅନ୍ତର୍ଗତ ସାଇସୁରନି ରେଞ୍ଜରେ ଚଢ଼ାଉ କରି ବନ ବିଭାଗ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ବନ୍ୟପ୍ରାଣୀ ସମ୍ପଦ ଓ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କର୍ଲାପାଟ ଥାନା ଅନ୍ତର୍ଗତ ଡାବ୍ରିଗୁଡ଼ାର କୁମୁଦ ରାଉତ, ପାନଭଟାର ତରଙ୍ଗ ପାତ୍ର, ତଳଆମପଦରର ସନ୍ତୋଷ କୁମାର ଜାଲ, ଅର୍ଜୁନ ମାଝୀ, ନୀଳକଣ୍ଠ ସାହୁ, ଆନନ୍ଦ ମାଝୀ ଓ ଲେଲି ମାଝୀ । ବନ ବିଭାଗକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତମାନେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ କରିବା ଯୋଜନାରେ ଥିବାବେଳେ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲେ। ଏହି ଚଢ଼ାଉ ସମୟରେ ଦୁଇଟି କଲରାପତରିଆ ବାଘଛାଲ ସହ ବାଘର ନଖ, ହାଡ଼,ଦାନ୍ତ , ନିଶ ଏବଂ ଛାଲର ଖଣ୍ଡ ଜବତ ହୋଇଛି। ଏଥି ସହ ପ୍ରାୟ ୧୦ କିଲୋଗ୍ରାମ ଓଜନର ଏକ ଜୀବନ୍ତ ବଣୁଆ ବା?ର୍ହା ଓ ଏକ ଗୋଧିର ମୁଣ୍ଡ ଉଦ୍ଧାର କରାଯାଇଛି। ଏହି ଜବତ ସାମଗ୍ରୀ କେବଳ ବନ୍ୟଜନ୍ତୁ ଶିକାରର ଭୟାବହତାକୁ ନୁହେଁ, ବରଂ ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ପ୍ରତି ରହିଥ?ିବା ବିପଦକୁ ମଧ୍ଯ ସ୍ପଷ୍ଟ କରୁଛି। ଶିକାର ପାଇଁ ବ୍ୟବହୃତ ଏକ ଦେଶୀ ଟୋପିଦାର ବନ୍ଧୁକ, ୭ ଗ୍ରାମ ବାରୁଦ, ୨୦୬ଟି ଗୁଳି, ବନ୍ଧୁକ ସଫା କରିବା ରଡ୍, ଗୋଟିଏ ଧନୁ ଓ ଦୁଇଟି ତୀର ମଧ୍ୟ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ୭ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଚୋରା କାରବାରର ଜାଲ କେବଳ ଏହି ୭ ଜଣଙ୍କ ମଧ୍ୟରେ ସୀମିତ ନଥିବା ସନ୍ଦେହ କରାଯାଉଛି। ରାକେଟ୍?ରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାବେଳେ ସେମାନେ ବର୍ତ୍ତମାନ ଫେରାର ଥିବା ବନ ବିଭାଗ ସୂଚନା ଦେଇଛି। ସେମାନଙ୍କୁ ଧରିବା ସହ ଏହି ଚୋରା କାରବାରର ମୂଳ ଉତ୍ସ ଓ ନେଟୱାର୍କ ର ପର୍ଦ୍ଦାଫାଶ କରିବା ଏବେ ବନ ବିଭାଗ ପାଇଁ ଆଉ ଏକ ବଡ଼ ଆହ୍ୱାନ। ଜଙ୍ଗଲ କେବଳ ଗଛଲତାର ସମାହାର ନୁହେଁ, ଏହା ଅସଂଖ୍ୟ ଜୀବଜନ୍ତୁଙ୍କ ଜୀବନ ଓ ପରିବେଶର ସନ୍ତୁଳନର ଆଧାର। ତେଣୁ ବନ୍ୟଜନ୍ତୁଙ୍କୁ ହତ୍ୟା କରି ସେମାନଙ୍କ ଅଙ୍ଗରୁ ଅର୍ଥ ଉପାର୍ଜନ କରିବାର ଅମାନବୀୟ ଘଟଣା ବିରୋଧରେ କେବଳ ଆଇନର କଠୋରତା ନୁହେଁ, ସମାଜର ସଚେତନତା ମଧ୍ୟ ଜରୁରୀ ଅଟେ ।
