ବାରିପଦା /କରଞ୍ଜିଆ: ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଖେଳୁଛି କି ବାର୍? ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗକୁ ନେଇ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା। କରଞ୍ଜିଆ ଗୋଲେଇସ୍ଥିତ ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ପରୀକ୍ଷା ପାଇଁ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ନମୁନା ଭାବେ ସିଲ୍ କରାଯାଇଥିବା ର ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଅବକାରୀ ବିଭାଗ ଓ ବାର୍ ମାଲିକଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କରଞ୍ଜିଆ ଗୋଲେଇଠାରେ ଥିବା ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ପରୀକ୍ଷା ପାଇଁ ସିଲ୍ କରାଯାଇଥିଲା। ମଦ ବୋତଲଗୁଡ଼ିକରେ ଥିବା ମଦର ଗୁଣବତ୍ତା ଓ ପ୍ରାମାଣିକତା ସମ୍ପର୍କରେ ପରୀକ୍ଷା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ଅନ୍ୟପକ୍ଷରେ, ଏହି ଚଢ଼ାଉକୁ ନେଇ ବାର୍ ମାଲିକଙ୍କ ପୁଅ ଗୁରୁତର ଅଭିଯୋଗ ଆଣିଛନ୍ତି। ଅବକାରୀ ବିଭାଗକୁ ଟଙ୍କା ନଦେବାରୁ ଆକ୍ରୋଶମୂଳକ ଭାବେ ବାର୍ ଉପରେ ଚଢ଼ାଉ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଘଟଣାକୁ ଆହୁରି ଚର୍ଚ୍ଚାର ବିଷୟ କରିଛି। ତେବେ ବାର୍ ମାଲିକଙ୍କ ପୁଅଙ୍କ ଏହି ଅଭିଯୋଗକୁ ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଖଣ୍ଡନ କରିଛନ୍ତି। ଯଦି ଏଭଳି କୌଣସି ଘଟଣା ଘଟିଥାଏ, ତେବେ ତାହାର ପ୍ରମାଣ ଦାଖଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଫଳରେ ଗୋଟିଏ ପଟେ ନକଲି ମଦ ବିକ୍ରି ଅଭିଯୋଗ ଓ ଅନ୍ୟପଟେ ଆକ୍ରୋଶମୂଳକ ଚଢ଼ାଉ ଅଭିଯୋଗକୁ ନେଇ ଘଟଣାଟି ଏବେ ଦ୍ୱନ୍ଦ୍ୱ ମଧ୍ୟରେ ରହିଛି। ବିଦେଶୀ ମଦର ନାମ, ବ୍ରାଣ୍ଡ୍ ଓ ମୂଲ୍ୟକୁ ନେଇ ଗ୍ରାହକମାନେ ଯେଉଁ ବିଶ୍ୱାସ ରଖିଥାନ୍ତି, ତାହା ଯଦି ଠକେଇର ଶିକାର ହୁଏ, ତେବେ ଏହା କେବଳ ଆର୍ôଥକ କ୍ଷତିର ପ୍ରଶ୍ନ ନୁହେଁ; ବରଂ ଗ୍ରାହକଙ୍କ ସୁରକ୍ଷା ସହ ମଧ୍ୟ ଜଡ଼ିତ। ତେଣୁ ଏହି ଅଭିଯୋଗର ସଠିକ୍ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏବେ ସମସ୍ତଙ୍କ ନଜର ମଦ ନମୁନାର ପରୀକ୍ଷା ରିପୋର୍ଟ ଓ ଅବକାରୀ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଯଦି ମଦ ନକଲି ବୋଲି ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବାର୍କୁ ସ୍ଥାୟୀ ଭାବେ ସିଲ୍ କରିବାକୁ ସାଧାରଣରେ ଦାବି ହେଉଛି।ତେବେ ନକଲି ମଦ ବିକ୍ରି ଅଭିଯୋଗ କେତେଦୂର ସତ, ଏବଂ ଅବକାରୀ ବିଭାଗ ବିରୋଧରେ ଆସିଥିବା ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ତଦନ୍ତ ଓ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି ସାଧାରଣ ଲୋକ।
