ପୁରୀ: ପୁରୀବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଦାବିରେ ଚାଲିଥିବା ଅହିଂସାତ୍ମକ ଜନଜାଗରଣ ପଦଯାତ୍ରା ଆଜି ୨୧୧ ଦିନରେ ପହଞ୍ଚିଛି। ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା ଓ କୋହଲା ପାଗ ଲାଗି ରହିଥିଲେ ମଧ୍ୟ ସତ୍ୟାଗ୍ରହୀଙ୍କ ମନୋବଳ ଭାଙ୍ଗିନାହିଁ। ପ୍ରତିକୂଳ ପାଗକୁ ଖାତିର ନକରି ସେମାନେ ନିଜର ନ୍ୟାଯ୍ୟ ଦାବି ପ୍ରତି ଅଟଳ ରହିଛନ୍ତି।ଏହି ପଦଯାତ୍ରା ୧ ଏପ୍ରିଲ ଉତ୍କଳ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏବଂ ୨ ଏପ୍ରିଲ ୨ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିଲା। ସେହିଦିନଠାରୁ ପଦଯାତ୍ରୀମାନେ ପ୍ରତିଦିନ ସିଂହଦ୍ୱାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ଜଣାଇ ଆସୁଛନ୍ତି। ଦୀର୍ଘ ୨୧୧ ଦିନର ଏହି ସତ୍ୟାଗ୍ରହ ସତ୍ୟ, ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ନ୍ୟାୟ ହାସଲ କରିବାର ଏକ ନିରନ୍ତର ପ୍ରୟାସ। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହର ଓ ସଦରବାସୀଙ୍କ ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ସୁବିଧାର ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଏହି ଅହିଂସାତ୍ମକ ସତ୍ୟାଗ୍ରହ ଜାରି ରହିବ।

ବର୍ଷା ହେଉ କି ଅନ୍ୟ କୌଣସି ପ୍ରତିକୂଳ ପରିସ୍ଥିତି, ଆନ୍ଦୋଳନକାରୀଙ୍କ ଦୃଢ଼ ମନୋବଳ ଓ ନ୍ୟାଯ୍ୟ ଦାବି ପ୍ରତି ପ୍ରତିବଦ୍ଧତା ଅତୁଟ ରହିବ। ଏହି ଆନ୍ଦୋଳନ କାହାରି ବିରୋଧରେ ନୁହେଁ; ବରଂ ପୁରୀବାସୀଙ୍କ ଧାର୍ମିକ ଅଧିକାର, ସ୍ୱାଭିମାନ ଓ ସମାନ ସମ୍ମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମାନତା, ସମନ୍ୱୟ ଓ ଭାଇଚାରାର ବାର୍ତ୍ତା ବହନ କରେ। ଏହି ଆଦର୍ଶକୁ ଆଧାର କରି ପୁରୀବାସୀଙ୍କ ଦୀର୍ଘଦିନର ଦାବିର ସମାଧାନ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଏକ ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ଗ୍ରହଣ କରିବାକୁ ସତ୍ୟାଗ୍ରହୀ ମାନେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ବୁଧବାର ୨୧୧ତମ ଦିନର ସଚେତନତା ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ପ୍ରସନ୍ନ କୁମାର ନାଥ, ପ୍ରଣତୀ ପଟ୍ଟନାୟକ, ଅଞ୍ଜୁବାଳା ମହାନ୍ତି, ବନିତା ଦୀକ୍ଷିତ, ବେବି ଚୌଧୁରୀ, ଶ୍ରାବଣୀ ଦାସ, ସୀତା ନାୟକ, ବାବାଲିନ ପ୍ରଧାନ, ରୋଜାଳିନ ବେହେରା, ନେହା ଦାସ, ପ୍ରଣତୀ ପରିଡ଼ା, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ଅଭିମନ୍ୟୁ ରାୟଗୁରୁ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ବରୁଣ ମହାପାତ୍ର, ଭୋଳାନାଥ ଦାଶ, ରଶ୍ମୀରଞ୍ଜନ ପାତ୍ର, ବାପିନା ସାମନ୍ତରାୟ, ଭୋଳା ଓ ମାନସ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ପଦଯାତ୍ରୀ ଯୋଗଦେଇ ଦାବି ପ୍ରତି ନିଜର ଏକତା ଓ ସମର୍ଥନ ପ୍ରକାଶ କରିଥିଲେ।
