ବାରିପଦା; ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ଥାନା ଅଞ୍ଚଳର ଜନୈକା ବିବାହିତା ସ୍ତ୍ରୀଙ୍କୁ ଭୟଭୀତ କରି ବାରମ୍ବାର ବଳପୂର୍ବକ ଧର୍ଷଣ କରିବା ଏବଂ ପରେ ଅନ୍ୟଜଣେ ଝିଅକୁ ବିବାହ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଅଭିଯୋଗ ମୁତାବକ ପୀଡ଼ିତା ୨୦୨୪ ମସିହାରେ ସ୍ୱାମୀ ସହ ମହାରାଷ୍ଟ୍ରର ପୁନେସ୍ଥିତ ଏକ କୁକୁଡ଼ା ଫାର୍ମରେ କାମ କରିବାକୁ ଯାଇଥିଲା । ପ୍ରତ୍ୟେହ ସ୍ୱାମୀ – ସ୍ତ୍ରୀ ମଧ୍ୟରେ ଝଗଡାଝାଟି ହେଉଥିଲା । ଏହାରି ସୁଯୋଗରେ ଉକ୍ତ କୁକୁଡ଼ା ଫାର୍ମରେ ପୂର୍ବରୁ କାର୍ଯ୍ୟ କରୁଥିବା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତାମଳବନ୍ଧ ଗ୍ରାମର ସତ୍ୟବ୍ରତ ପାତ୍ର(୨୬) ପୀଡ଼ିତା ସହ ସମ୍ପର୍କ ସ୍ଥାପନ କରିଥିଲା ।ଗତ ୨୦୨୫ ଅଗଷ୍ଟ ୧୧ ତାରିଖରେ ପୀଡ଼ିତା ନିଜର ପୈତୃକ ଘରେ ଥିବା ଏବଂ ଘରେ ପରିବାରବର୍ଗଙ୍କ ଅନୁପସ୍ଥିତିରେ ସତ୍ୟବ୍ରତ ପହଞ୍ଚି ତାକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଘଟଣା ପ୍ରଘଟ ହେଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା । ଅଭିଯୁକ୍ତ ଓ ପୀଡ଼ିତାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିବା କାରଣରୁ ପୀଡ଼ିତାର ବାପଘରେ ଅଭିଯୁକ୍ତ ୭/୮ଦିନ ରହିବା ସହ ବାରମ୍ବାର ଦୁଷ୍କର୍ମ କରିବା ପରେ ପୀଡ଼ିତା ଗର୍ଭବତୀ ହୋଇଥିଲା ଏବଂ ୧୨.୪.୨୦୨୬ରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲା । ଏହାପରେ ଅଭିଯୁକ୍ତ ସତ୍ୟବ୍ରତ ନିଜ ଗ୍ରାମକୁ ଆସିଥିବା ଖବରପାଇ ପୀଡ଼ିତା ଗତ ୫.୧୦.୨୬ ତାରିଖରେ ତା ନିକଟକୁ ଯାଇ ଭରଣପୋଷଣ ସହ ଛୁଆର ଦାୟିତ୍ୱ ନେବାପାଇଁ କହିଥିଲା। ମାତ୍ର ପୀଡ଼ିତାକୁ ସେ ବିବାହ କରିନଥିବା କାରଣରୁ ତାକୁ ଓ ଛୁଆକୁ ଗ୍ରହଣ କରିବା ପାଇଁ ମନାକରି ଘରୁ ତଡ଼ି ଦେଇଥିଲା। ଏହାପରେ ପୀଡ଼ିତା ବିଶୋଇ ଥାନା ଅନ୍ତର୍ଗତ ମଣଦା ଫାଣ୍ଡିକୁ ଯାଇ ଅଭିଯୋଗ ଦାଖଲ କରିବାରେ ଫାଣ୍ଡି ଅଧିକାରୀ ଏତଲା ଗ୍ରହଣ ନକରି ତାକୁ ଫେରାଇ ଦେଇଥିଲେ। ଗତ ୨୦.୧୦.୨୬ ତାରିଖରେ ଅଭିଯୁକ୍ତ ଅନ୍ୟଜଣେ ଝିଅକୁ ବିବାହ କରିଥିବା ଖବର ପାଇ ୨୭.୧୦.୨୬ରେ କରଞ୍ଜିଆ ଥାନାକୁ ଯାଇ ୩୭୫ନଂ ରେ ଏତଲା ଦାୟର କରିଥିଲା । ଅଭିଯୁକ୍ତକୁ ଗିରଫ ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
