ବେଗୁନିଆପଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆପଡା ବ୍ଲକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଓ ପବନରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ମେଡିକାଲ ନିକଟରେ ଗଛ ପଡି ବିଦ୍ୟୁତ ଷ୍ଟାଣ୍ଡ ପୋଲ ଭାଙ୍ଗିଯିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ମେଡିକାଲରେ ବିଦ୍ୟୁତ ସରବରହ ବିଛିନ୍ନ ହୋଇଯାଇଛି। ଅପର ପକ୍ଷରେ ସୁମଣ୍ଡଳ ଠାରୁ ଅଙ୍ଗାରଗାଁ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ବରଗଛ ପଡିଯିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିଲା। ଦମକଳ ବାହିନୀ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଇଥିଲା। ଏହି ବ୍ଲକ ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମ ଭିତରେ ଆଣ୍ଠୁଏ ପାଣି ଜମି ରହିଥିବା ଯୋଗୁଁ ଲୋକ ହଇରାଣର ଶିକାର ହୋଇଛନ୍ତି। ଅପର ପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଏହା ସହ ବିଭିନ୍ନ ରାସ୍ତାରେ ମଧ୍ୟ ଗଛ ପଡି ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ଲଗାଣ ବର୍ଷାରେ ପରିବା ଚାଷ ପାଣିରେ ବୁଡିବା ସହ ଧାନ ଜମିରେ ମଧ୍ୟ ପାଣି ବୁଡ଼ିଯାଇଛି।
