ଆସିକା: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆସିକାରେ ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ଏଥିଯୋଗୁଁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଥିବ ବେଳେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଆସିକା ବ୍ଲକରେ ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ବିପଦ ପ୍ରବଣ ଅଚଂଳ ଉପରେ ନଜର ରଖାଯିବା ସହ ଆବଶ୍ୟକ ସ୍ଥଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର ସକାଳୁ ବର୍ଷା ଆରମ୍ଭ ହୋଇ ଦିନ ତମାମ ଲାଗି ରହିଥିବାରୁ ପରିସ୍ଥିତିର ଅନୁଧ୍ୟାନ ପାଇଁ ଆସିକା ବିଧାୟକ ସରୋଜ କୁମାର ପାଢୀ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଟୁଲିଆମ୍ମା ପ୍ରଧାନ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ଭାରପ୍ରାପ୍ତ ତହସିଲଦାର ଅମରେଶ ସାବତ, ଅତିରିକ୍ତ ତହସିଲଦାର ଶୁଭଦର୍ଶନୀ ରାଉତରାୟ, ଆସିକା ଏବିଡିଓ ସୁଶାନ୍ତ କୁମାର ବେହେରା, ଆସିକା ପୈାରପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ରାଜେଶ ମହାପାତ୍ର ପ୍ରମୁଖ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମିକ୍ଷା କରିଥିଲେ ।

ଏହା ସହିତ ଆସିକା ବ୍ଲକରେ ଥିବା ଦୁଇଟି ଆଶ୍ରୟ ସ୍ଥଳୀ ଜଗଦଳପୁର ଏବଂ ମହାରାଜାପୁର ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସିକା ବ୍ଲକର କମାଗଡ, ମଙ୍ଗଳପୁର, ବାଲିଛାଇ, ଝଗଡେଇ, ଆଲିପୁର ଏବଂ ଗଙ୍ଗାପୁର, ଖାରିଆ,ମୁନିଗାଡି ପ୍ରଭୃତି ପଚାଂୟତର ତଳିଆ ଅଚଂଳର ପ୍ରାୟ ୨୫୦ ରୁ ଉର୍ଦ୍ଧ ଲୋକଙ୍କୁ ସ୍ତାନାନ୍ତରିତ କରି ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ରନ୍ଧା ଖାଦ୍ୟ ବଟଂନ କରାଯାଇଛି । ସମସ୍ତ ବିପନ୍ନଙ୍କୁ ରଖାଯାଇଥିବା ଆଶ୍ରୟସ୍ଥଳୀ ସ୍ଥାନରେ ଆଲୋକୀକରଣ ସାଙ୍ଗକୁ ପିଇବା ପାଣି, ପରିମଳ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ସେହିଭଳି ଆସିକା ପୈାରପରିଷଦରେ ଦିନ ସମୟରେ ପ୍ରାୟ ୧୫୦ ଜଣ ବିପନ୍ନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ରାତିରେ ହାଟପଦା ସ୍ଥିତ ଏକ୍ସବୋର୍ଡ ନୋଡାଲ ଉ୍?ଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ବଟଂନ କରାଯିବାର ବନ୍ଦୋବସ୍ତ ହୋଇଥିବା ସୁଚନା ରହିଛି ।

ଆସିକା ବ୍ଲକର ମଙ୍ଗଳପୁର, କମାଗଡ, ବାଲିଛାଇ, ଆଲିପୁର, ଗଙ୍ଗାପୁର ପ୍ରମୁଖ ପଚାଂୟତରେ ବର୍ଷା ଓ ପବନ ଯୋଗୁଁ ଗଛ ଭାଙ୍ଗି ପଡିଥିଲା । ସେହିଭଳୀ ଆସିକା ପୈାରପରିଷଦର ବାଣିବିହାର ମୁଖ୍ୟ ରାସ୍ତା ପାର୍କ ସମ୍ମୁଖ ଓ ପୁଡୁଗେଶ୍ୱରପଲ୍ଲୀ, ମୁକୁନ୍ଦପୁର ସ୍ଥାନରେ ଗଛ ଭାଙ୍ଗି ପଡିଥିବା ସୂଚନା ରହିଥିଲା । ସମସ୍ତ ସ୍ଥାନରେ ଆସିକା ଅଗ୍ନିଶମ ବିଭାଗ ପହଁଚି ଗଛ କାଟି ରାସ୍ତା ସଫା କରିଥିବା ଜଣାପଡିଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ପ୍ରସାଶନିକ ସ୍ତରରେ ତତ୍ପରତା ଦେଖାଦେଇଥିବା ବେଳେ ଆସିକା ତହସିଲ ପ୍ରଶାସନ, ବ୍ଲକ ପ୍ରଶାସନ , ଓଡ୍ରାଫ ଟିମ , ଆସିକା ଅଗ୍ନିଶମ ବିଭାଗ ଏବଂ ୨ଟି ମେଡିକାଲ ଟିମ ପ୍ରସ୍ତୁତ ରହି ସଜାଗ ଥିବା ସୁଚନା ମିଳିଛି । ଆସିକା ବ୍ଲକରେ ପ୍ରାୟ ୭ ହାଜର ୮ ଶହ ହେକ୍ଟର ଚାଷ ଜମି ରହିଥିବା ବେଳେ ପ୍ରାୟ ୧୪ ଶହ ହେକ୍ଟର ଚାଷ ଜମିରେ ଧାନ ଫସଲ ଓ ପନିପିରିବା ଫସଲ ହୋଇଛି । ଲଗାଣ ବର୍ଷା ଯୋଗୁଁ ସମସ୍ତ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବା ବେଳେ ଚାଷୀ ମହଲରେ ଚିନ୍ତା ପ୍ରକାଶ କରାଯାଇଛି । ହରଭଙ୍ଗୀ ଜଳସେଚନ ଡିଭିଜନର ଗୋକୁଳପୁର ବ୍ୟାରେଜରୁ ପ୍ରାୟ ୫ ଶହ କ୍ୟୁମେକ୍ସ ଜଳ ପଦ୍ମା ନଦୀକୁ ନିଷ୍କାସନ କରାଯାଇଥିବା ବେଳେ ଏହି ଜଳ ସୋରଡା ସ୍ଥିତ ପଦ୍ମା ବ୍ୟାରେଜରେ ପହଁଚି ଥିବା ସୂଚନା ରହିଛି ।

ଏହାରି ପ୍ରଭାବରେ ଆସିକା ଋଷିକୁଲ୍ୟା ନଦୀର ତଳମୁଣ୍ଡ ଅଚଂଳ ବିଶେଷ କରି ଆସିକା ଅଚଂଳର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ପ୍ରବାହିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଚଂଳରେ ରହୁଥିବା ଜନସାଧାରଣଙ୍କୁ ସତର୍କ ରହବା ସହ ନଦୀ ନିକଟକୁ ନଯିବା ଏବଂ ଜଳ ପ୍ରବାହ ଥିବା ଅଚଂଳରେ ଯାତାୟତ ନ କରିବାକୁ ପ୍ରଶାସନିକ ସ୍ତରରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଇଛି । ଏହି ଘଡିସନ୍ଧି ପରିସ୍ଥିତିରେ ବଜାର ମାର୍କେଟରେ ଜରୁରୀ ସାମଗ୍ରୀର କଳାବଜାର ରୋକିବା ପାଇଁ ସ୍ଥାନୀୟ ଯୋଗାଣ ବିଭାଗର ତତ୍ପରତା ଦେଖାଦେଇଛି ।

ଆସିକା ସହରର ବିଭିନ୍ନ ଦୋକାନ ବଜାର ଓ ପନିପରିବା ମାର୍କେଟ ସ୍ଥାନରେ ଆସିକା ଯୋଗାଣ ଅଧିକାରୀ ଶର୍ମିଷ୍ଠା ଦଳବେହେରା ଓ ସ୍ଥାନୀୟ ପୋଲିସ ଅଧିକାରୀ ପ୍ରମୁଖ ପହଁଚି ଆଳୁ ଓ ପିଆଜ ଜରୁରୀ ସାମଗ୍ରୀର କଳାବଜାରୀ ରୋକିବା ଦିଗରେ ପରିଦର୍ଶନ କରିଥିବା ଜଣାପଡିଛି ।
