ବାରିପଦା; ମୟୁରଭଞ୍ଜ ଜିଲ୍ଲା,ଠାକୁରମୁଣ୍ଡା ବ୍ଲକ, ଚମକପୁର ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ପାଇଛନ୍ତି। ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ପୂଜାରାଣୀ ମୁଣ୍ଡା ଓ ବର୍ଷା ପାଲିଆ ୨୮ ତାରିଖ ବୁଧବାର ଦିନ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ୮ମ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଟ୍ରାଏଲ ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଛାତ୍ରୀଙ୍କ ଏହି ସଫଳତାରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାକେଶ ରଞ୍ଜନ ଦାସ, ଶିକ୍ଷୟିତ୍ରୀ, କ୍ରୀଡା ଶିକ୍ଷକ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉଭୟ ଛାତ୍ରୀ ଜିଲ୍ଲା ଓ ରାଜ୍ୟ ସ୍ତରରେ ଭଲ ପ୍ରଦର୍ଶନ କରି ଏହି ସୁଯୋଗ ପାଇଥିବା ଜଣାପଡିଛି। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ବିଦ୍ୟାଳୟ ଓ ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
