ହିନ୍ଦୋଳ: ଜଣେ ଚାଷୀ ନିଜର ଚାଷଜମି ଦେଖିବାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା କନ୍ତିମିଲି ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର୍ ସେକ୍ସନ୍ ବାଲିମୀ ଥାନା ଅନ୍ତର୍ଗତ କନ୍ତିମିଲି ଗ୍ରାମର ଅଭିରାମ ବେହେରାଙ୍କର (୬୮) ହାତୀ ଆକ୍ରମଣରେ ମୃତ୍ୟୁଘଟିଛି। ଅଭିରାମ ଆଜି ସକାଳ ସମୟରେ ଚାଷଜମି ଦେଖିବାକୁ ଯାଇଥିବାବେଳେ ଜଙ୍ଗଲୀ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଫଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଘଟଣାସ୍ଥଳରେ ବନବିଭାଗ ପହଂଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ପଠାଇଥିଲା। ହିନ୍ଦୋଳ ଉପଖଣ୍ଡରେ ବାରମ୍ବାର ଏପରି ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ବନବିଭାଗ ବେଫିକର୍ । ହିନ୍ଦୋଳରେ ହାତୀ ଆକ୍ରମଣରେ ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ। ସତେକି ଲୋକଙ୍କ ଜୀବନ ତାଙ୍କ ପାଇଁ ମୂଲ୍ୟହୀନ ପାଲଟିଯାଇଛି। ଦିନଦିପ୍ରହର ଓ ରାତି ସମୟରେ ହାତୀ ଜନବସତି ମୁହାଁ ହେଉଥିବା ବହୁ ସମୟରେ ଦେଖିବାକୁ ମିଳୁଛି। ହାତୀ ଆକ୍ରମଣକୁ ନେଇ ଲୋକଙ୍କ ମନରେ କୋକୁଆଭୟ ସୃଷ୍ଟି ହୋଇଛି। ଫଳରେ ଲୋକମାନେ ଘରୁ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସରକାର ଏହାକୁ ଗୁରୁତର ସହ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
