oplus_1024
ବାରିପଦା; ଦେଶରେ କେନ୍ଦ୍ର ସରକାରଙ୍କ ସହ ମିଶି ନିର୍ବାଚନ ଆୟୋଗ ଭୋଟ ଚୋରି କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହି ପ୍ରସଙ୍ଗରେ ବାରିପଦାସ୍ଥିତ ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ରୋହିତାସ ଭାଷୋୟା କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀ ଭାଷୋୟା ଅଭିଯୋଗ କରି କହିଛନ୍ତି ଯେ, ଏସଆଇଆର ବାହାନାରେ ଦେଶରେ ୧୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ନାମ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ଏଭଳି ଭୋଟ ଚୋରି କରାଯାଉଥିବା ସେ ଅଭିଯୋଗ କରିବା ସହ ଏଥିପାଇଁ ନିର୍ବାଚନ ଆୟୋଗର ମୁଖ୍ୟ ଜ୍ଞାନେଶ କୁମାରଙ୍କୁ ଦାୟୀ କରିଛନ୍ତି।
ଏହି ଅଭିଯୋଗକୁ ନେଇ କଂଗ୍ରେସ ପକ୍ଷରୁ ସମଗ୍ର ଦେଶରେ ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ ଅଭିଯାନ ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ଓ ଭୋଟରଙ୍କ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ମନୋଜ କୁମାର ରାଉତ, ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଅଭିଯାନକୁ ଜିଲ୍ଲାରେ ଅଧିକ ବ୍ୟାପକ କରାଯିବ ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି।
